ବିଶ୍ବର ସମସ୍ତ ୫୦ ଉତ୍ତପ୍ତ ସହର ଭାରତରେ; ବଲାଙ୍ଗୀର ସବୁଠୁ ଉତ୍ତପ୍ତ
ନୂଆଦିଲ୍ଲୀ,: ଅତି ଭୀଷଣ ଗ୍ରୀଷ୍ମଲହରୀ ଯୋଗୁ ଭାରତର ଉତ୍ତର, କେନ୍ଦ୍ର ଓ ପୂର୍ବ ଭାଗରେ ତାପମାତ୍ରା ମଧ୍ୟାହ୍ନ ପୂର୍ବରୁ ୪୦ ଡିଗ୍ରି ପାର୍ କରି ଯାଉଛି। ବାୟୁ ଗୁଣବତ୍ତା ଓ ପାଣିପାଗ ଟ୍ରାକର ଏକ୍ୟୁଆଇ.ଇନ୍ ଅନୁଯାୟୀ, ଶୁକ୍ରବାର ସକାଳେ ବିଶ୍ବର ସମସ୍ତ ୫୦ ଉତ୍ତପ୍ତ ସହର ତାଲିକାରେ ଭାରତୀୟ ସହର ରହିଥିଲା। ୪୫ ଡିଗ୍ରି ତାପମାତ୍ରା ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବିଶ୍ୱ ତାପମାତ୍ରା ଚାର୍ଟର ଶୀର୍ଷରେ ବଲାଙ୍ଗୀର ରହିବା ଆଶ୍ଚର୍ଯ୍ୟଜନକ କଥା ନୁହେଁ। ପଶ୍ଚିମ ଓଡ଼ିଶା, ବିଶେଷକରି ଟିଟଲାଗଡ଼-ବଲାଙ୍ଗୀର ବେଲ୍ଟ ଐତିହାସିକ ଭାବରେ ଭାରତର ସବୁଠାରୁ ଭୟଙ୍କର ଉତ୍ତପ୍ତ କ୍ଷେତ୍ର ମଧ୍ୟରୁ ଗୋଟିଏ ହୋଇ ରହିଆସିଛି। ବଲାଙ୍ଗୀର ପଛକୁ ୪୪ ଡିଗ୍ରି ସହିତ ଚନ୍ଦ୍ରପୁର (ମହାରାଷ୍ଟ୍ର) ଓ ପ୍ରୟାଗରାଜ ରହିଛି। ଛତିଶଗଡ଼, ବିହାର, ତେଲଙ୍ଗାନା, ହରିୟାଣା ଓ ମଧ୍ୟପ୍ରଦେଶରେ ମଧ୍ୟ ଅନେକ ସମୟ ତାପମାତ୍ରା ରେକର୍ଡ଼ କାଟି ସାରିଲାଣି। ଏକ୍ୟୁଆଇ.ଇନ୍ ତାଲିକାରେ ରହିଥିବା ଅଧିକାଂଶ ସ୍ଥାନ ଉତ୍ତର ପ୍ରଦେଶରେ ରହିଛି। ବାରଣାସୀ, ବାନ୍ଦା, ବରେଲି ଓ ଅଯୋଧ୍ୟାରେ ତାପମାତ୍ରା ମଧ୍ୟାହ୍ନ ପୂର୍ବରୁ ୪୨ ଡିଗ୍ରିରୁ ୪୩ ଡିଗ୍ରି ପାର୍ କରିଯାଉଛି। ଉତ୍ତରପ୍ରଦେଶର ବାନ୍ଦାରେ ଲଗାତାର ୪ ଦିନ ଧରି ତାପମାତ୍ରା ୪୮ ଡିଗ୍ରି ଉପରେ ରହୁଛି।



