ଅଜିତଙ୍କ ମୃତ୍ୟୁ ଅପରେସନ୍ ଲୋଟସ୍ର ଅଂଶ : ସଂଜୟ ରାଉତ
ମୁମ୍ବାଇ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ମାମଲା ରହସ୍ୟମୟ ହେବାରେ ଲାଗିଛି। ଅନେକ ନେତା ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଉଛନ୍ତି। ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ବିଜେପି ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣି ଦୁର୍ଘଟଣାକୁ ଅପରେସନ ଲୋଟସର ଏକ ଅଂଶ ବୋଲି କହିଛନ୍ତି। ଏହା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ସଞ୍ଜୟ ଦାବି କରିଛନ୍ତି ଦେଶର ବର୍ତ୍ତମାନ ପରିସ୍ଥିତି ଏପରି ଯେ ଯିଏ ବିଜେପି ବିରୋଧରେ ଛିଡ଼ା ହେବ ସେ ଜେଲ୍ ଯିବେ ନଚେତ୍ ଜୀବନ ହରାଇବେ। ଅଜିତଙ୍କ ବିମାନ ଦୁର୍ଘଟଣାର ସତ୍ୟତା ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରାଯିବା ଉଚିତ। ଏହାର ନିରପେକ୍ଷ ତଦନ୍ତ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ଯଦି ଅଜିତ ବିଜେପି ଛାଡି ଶରଦ ପାୱାରଙ୍କ ପାଖକୁ ଫେରିଥାନ୍ତେ, ତେବେ ଏହା ବିଜେପିର ଅପରେସନ ଲୋଟସ୍ ପାଇଁ ଏକ ବଡ଼ ଧକ୍କା ହୋଇଥାନ୍ତା। କ୍ଷମତା ପାଇଁ ବିଜେପି କେତେବେଳେ କ’ଣ କରିବ ତା’ ଉପରେ ଆଉ କୌଣସି ଭରସା ନାହିଁ। ସଞ୍ଜୟ ଏନସିପି (ଏପି) ସାଂସଦ ପ୍ରଫୁଲ୍ଲ ପଟେଲଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, ପଟେଲ ଦଳର ଶୀଘ୍ର ସଭାପତି ହେବା ପାଇଁ ଚାହୁଛନ୍ତି।



