ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର
ମହାରାଷ୍ଟ୍ର : ପଞ୍ଚଭୂତରେ ବିଲୀନ ହେଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗୁରୁବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛ । ଦିନ ୧୧ଟା ସମୟରେ ଅଜିତ ପାୱାରଙ୍କ ରାଜନୈତିକ ଗଡ଼ ବାରାମତିର ବିଦ୍ୟା ପ୍ରତିଷ୍ଠାନ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅଜିତ ପାୱାରଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କର ଦୁଇ ପୁଅ ପାର୍ଥ ଓ ଜୟ।
ପାୱାରଙ୍କ ଅନ୍ତିମ ସଂସ୍କାର ସମୟରେ “ଅଜିତ ଦାଦା ଅମର ରହେ” ଧ୍ୱନି ଶୁଣାଯାଇଥିଲା। ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ବିଜେପି ମୁଖ୍ୟ ନୀତିନ ନବୀନ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଏମଏନଏସ ମୁଖ୍ୟ ରାଜ ଠାକରେ, ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ଏବଂ ଅନେକ ନେତା ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ।
୬୬ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ। “ଦାଦା” ନାମରେ ପରିଚିତ ଅଜିତ ପାୱାରଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରରେ କେବଳ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିନାହିଁ, ବରଂ ତାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।
ଗତକାଲି, ଜାନୁଆରୀ ୨୮ ତାରିଖରେ ମହାରାଷ୍ଟ୍ରର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ହଠାତ୍ ମୃତ୍ୟୁ ହୋଇଥିଲା। ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଅଜିତ ପାୱାର, ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁର, ସହ-ପାଇଲଟ୍ ଶାମ୍ଭବୀ ପାଠକ, ବିମାନ ପରିଚାରିକା ପିଙ୍କି ମାଲି ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଦୀପ ଯାଦବଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମହାରାଷ୍ଟ୍ର ସରକାର ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି।
ସନ୍ଧ୍ୟାରେ ଅଜିତ ପାୱାରଙ୍କ ପାର୍ଥିବ ଶରୀରକୁ ପୁଣେ ଜିଲ୍ଲାର ବାରାମତୀର ଏକ ଶିକ୍ଷାନୁଷ୍ଠାନକୁ ଅଣାଯାଇଥିଲା। NCP କର୍ମୀଙ୍କ ସହିତ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ସେଠାରେ ଏକତ୍ରିତ ହୋଇ ଦିବଂଗତ ନେତାଙ୍କ ସମ୍ମାନରେ ସ୍ଲୋଗାନ ଦେଇଥିଲେ।
ଅଜିତ ପାୱାରଙ୍କ କାକା ଏବଂ ଏନସିପି ପ୍ରତିଷ୍ଠାତା ଶରଦ ପାୱାର କହିଛନ୍ତି ଯେ, ଏହା ଏକ ଦୁର୍ଘଟଣା ଥିଲା ଏବଂ ଏହାକୁ ରାଜନୀତିକରଣ କରାଯିବା ଉଚିତ ନୁହେଁ। ଏହା ମଧ୍ୟରେ, ବିମାନରୁ ଉଦ୍ଧାର ହୋଇଥିବା ବ୍ଲାକ୍ ବାକ୍ସର ବିଶ୍ଳେଷଣ କରାଯାଇ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରାଯିବ। ଭିଏସଆର ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ୧୬ ବର୍ଷ ପୁରୁଣା ଚାର୍ଟର୍ଡ ଲିଅରଜେଟ୍ ବିମାନଟି ବାରାମତୀ ବିମାନବନ୍ଦରରେ ଦ୍ୱିତୀୟ ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା AAIB ଦୁର୍ଘଟଣାର ତଦନ୍ତ କରୁଛି ।



