ଅଗ୍ନିବୀରଙ୍କ ପାଇଁ ବଡ଼ ଖବର: ୪ ବର୍ଷ ପରେ ଚାକିରି ଛାଡ଼ିବାକୁ ପଡ଼ିବନି, ମିଳିବ ଆଉ ୨ ବର୍ଷର ସୁଯୋଗ
୬ ବର୍ଷ ପରେ ପୁଣି ସ୍ଥାୟୀ ନିଯୁକ୍ତି ପାଇଁ ହେବ ଚୟନ
ନୂଆଦିଲ୍ଲୀ: ଦେଶର ସଶସ୍ତ୍ର ବାହିନୀରେ ଯୋଗଦେଇ ଦେଶସେବା କରିବାକୁ ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଅଗ୍ନିପଥ ଯୋଜନାରେ ନିଯୁକ୍ତ ଅଗ୍ନିବୀରମାନଙ୍କ କାର୍ଯ୍ୟକାଳକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ଘୋଷଣା ହୋଇଛି। ଚାରି ବର୍ଷର ସେବା ପରେ ନିୟମିତ ସେନାରେ ସ୍ଥାୟୀ ନିଯୁକ୍ତି ପାଇଁ ଚୟନ ହୋଇନଥିବା ଅଗ୍ନିବୀରଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କୁ ଆଉ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ। ଅର୍ଥାତ୍ ଏଣିକି ସେମାନଙ୍କ ମୋଟ ସେବା ଅବଧି ଚାରି ବର୍ଷରୁ ବୃଦ୍ଧି ପାଇ ଛଅ ବର୍ଷ ହେବ। ଏହା ସହିତ ଛଅ ବର୍ଷର ସେବା ପରେ ପୁଣିଥରେ ନିୟମିତ ସେନାରେ ସ୍ଥାୟୀ ଭାବେ ଯୋଗଦେବା ପାଇଁ ମଧ୍ୟ ସେମାନଙ୍କୁ ସୁଯୋଗ ମିଳିବ। ନଭେମ୍ବର ୪ ତାରିଖରେ ଏହି ଘୋଷଣା କରିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅଗ୍ନିବୀରମାନଙ୍କ ସେବା ଅବଧିକୁ ଦୁଇ ବର୍ଷ ବୃଦ୍ଧି କରିବା ପାଇଁ ସଶସ୍ତ୍ର ବାହିନୀ ପକ୍ଷରୁ ସୁପାରିସ କରାଯାଇଥିଲା। ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛି।
ସିଡିଏସ୍ଙ୍କ ଅନୁଯାୟୀ, ପ୍ରାରମ୍ଭିକ ଚାରି ବର୍ଷର ସେବା ପରେ ନିୟମିତ ସେନାରେ ସ୍ଥାୟୀ ନିଯୁକ୍ତି ପାଇଁ ଚୟନ ହୋଇନଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଅତିରିକ୍ତ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ। ଏହି ସମୟ ମଧ୍ୟରେ ସେମାନଙ୍କ କାର୍ଯ୍ୟଦକ୍ଷତା, ଉପଲବ୍ଧି ଓ ଦାୟିତ୍ୱ ତୁଲାଇବାର କ୍ଷମତାକୁ ଗୁରୁତ୍ୱ ଦିଆଯିବ। ଛଅ ବର୍ଷର ସେବା ଅବଧି ପୂରଣ କରିବା ପରେ ସେମାନଙ୍କୁ ପୁନର୍ବାର ମୂଲ୍ୟାଙ୍କନ କରାଯିବ। ଏହି ମୂଲ୍ୟାଙ୍କନ ଓ ନିର୍ଦ୍ଧାରିତ ଚୟନ ମାନଦଣ୍ଡ ଆଧାରରେ ଯୋଗ୍ୟ ଅଗ୍ନିବୀରଙ୍କୁ ନିୟମିତ ସେନାରେ ସାମିଲ କରିବା ପାଇଁ ବିଚାର କରାଯିବ।ପ୍ରଥମ ବ୍ୟାଚ୍ର ଅଗ୍ନିବୀରମାନେ ଖୁବ୍ଶୀଘ୍ର ସେମାନଙ୍କ ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବାବେଳେ ସେମାନଙ୍କ କାର୍ଯ୍ୟଦକ୍ଷତା ସମ୍ପର୍କରେ ମିଳିଥିବା ମତାମତ ସକାରାତ୍ମକ ରହିଥିବା ସିଡିଏସ୍ କହିଛନ୍ତି। ଅଗ୍ନିପଥ ଯୋଜନାର ଭବିଷ୍ୟତ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇ ଜେନେରାଲ୍ ସୁବ୍ରମଣି କହିଛନ୍ତି ଯେ, ଯୋଜନାର କାର୍ଯ୍ୟକାରିତା ନିର୍ଦ୍ଧାରିତ ନିୟମ ଅନୁସାରେ ହେବ। ତେବେ ଏହାର ବର୍ତ୍ତମାନର ବ୍ୟବସ୍ଥାକୁ ଚୂଡ଼ାନ୍ତ ବୋଲି ଧରିନିଆଯାଇପାରିବ ନାହିଁ। ଅଭିଜ୍ଞତା ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଯୋଜନାର ସମୀକ୍ଷା କରାଯିବା ଆବଶ୍ୟକ ବୋଲି ସେ ସଙ୍କେତ ଦେଇଛନ୍ତି। ଏଥିସହ ସେନାର ବିଭିନ୍ନ ଶାଖାରେ ଅଗ୍ନିବୀରଙ୍କ ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କରାଯାଉଛି। ଶାରୀରିକ ଦକ୍ଷତା ସହିତ ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆଇବା, ବୈଷୟିକ ଜ୍ଞାନ ଓ ବିଭିନ୍ନ ପ୍ରକାର ଦାୟିତ୍ୱ ତୁଲାଇବାର କ୍ଷମତା ଉପରେ ମଧ୍ୟ ପ୍ରଶିକ୍ଷଣ ସମୟରେ ଗୁରୁତ୍ୱ ଦିଆଯିବ। ଅଗ୍ନିବୀରମାନଙ୍କ ପ୍ରଶିକ୍ଷଣକୁ ଅଧିକ ବ୍ୟାପକ କରିବା ଉପରେ ସଶସ୍ତ୍ର ବାହିନୀ ଗୁରୁତ୍ୱ ଦେଉଛି। ଏଥିରେ ଶାରୀରିକ ଦକ୍ଷତା ସହିତ ନୈତିକ ମୂଲ୍ୟବୋଧ, ବୈଷୟିକ ଜ୍ଞାନ ଓ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧିକୁ ସାମିଲ କରାଯାଇଛି। ଏହାବ୍ୟତୀତ ଅଗ୍ନିବୀରମାନେ ନିଜର ଶିକ୍ଷାଗତ ଯୋଗ୍ୟତା ବଢ଼ାଇବା ପାଇଁ ମଧ୍ୟ ସୁଯୋଗ ପାଇବେ। ଦଶମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀରୁ ସ୍ନାତକ ଡିଗ୍ରୀ ପର୍ଯ୍ୟନ୍ତ ଶିକ୍ଷା ହାସଲ କରିବାର ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଛି। ଏହାଦ୍ୱାରା ସେମାନଙ୍କ ଭବିଷ୍ୟତରେ ଶିକ୍ଷାଗତ ଓ ବୃତ୍ତିଗତ ଯୋଗ୍ୟତା ବୃଦ୍ଧି ପାଇପାରିବ। ସାମ୍ବାଦିକ ସମ୍ମିଳନୀରେ ଅଗ୍ନିବୀରମାନଙ୍କ ଦରମା, ପଦୋନ୍ନତି ଓ ସେବା ସର୍ତ୍ତାବଳୀ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ ପ୍ରଥମ ବର୍ଷରେ ୪୩,୫୦୦ ଟଙ୍କା ଓ ଦ୍ୱିତୀୟ ବର୍ଷରେ ୪୭,୦୦୦ ଟଙ୍କା ଦରମାର ଉଲ୍ଲେଖ କରାଯାଇଥିଲା।ବର୍ତ୍ତମାନର ଯୋଜନା ଅନୁସାରେ ଅଗ୍ନିବୀରମାନଙ୍କୁ ମିଳୁଥିବା 'ସେବା ନିଧି' ପ୍ୟାକେଜ୍ ମଧ୍ୟ ଜାରି ରହିବ। ତେବେ ଅତିରିକ୍ତ ଦୁଇ ବର୍ଷର ସେବା ସମୟରେ ଦରମା, ଦାୟିତ୍ୱ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଚଳିତ ନିୟମାବଳୀ ଅନୁସାରେ ନିର୍ଦ୍ଧାରଣ କରାଯିବ। ଉଲ୍ଲେଖଯୋଗ୍ୟ ୨୦୨୨ ମସିହା ଜୁନ୍ ମାସରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନାରେ ଯୁବକମାନଙ୍କୁ ଚାରି ବର୍ଷ ପାଇଁ ନିଯୁକ୍ତି ଦିଆଯାଏ। ଏହି ଯୋଜନାରେ ନିଯୁକ୍ତ ଯବାନମାନଙ୍କୁ ‘ଅଗ୍ନିବୀର’ କୁହାଯାଏ।
ମୂଳ ନିୟମ ଅନୁସାରେ, ପ୍ରତ୍ୟେକ ବ୍ୟାଚ୍ର ସର୍ବାଧିକ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା, ସେନାର ଆବଶ୍ୟକତା ଓ ଅନ୍ୟାନ୍ୟ ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ନିୟମିତ କ୍ୟାଡରରେ ସ୍ଥାୟୀ ନିଯୁକ୍ତି ମିଳିପାରିବ। ଅବଶିଷ୍ଟ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଚାରି ବର୍ଷ ପରେ ସେବାରୁ ଅବ୍ୟାହତି ଦିଆଯିବା ସହ ଏକକାଳୀନ ସେବା ନିଧି ପ୍ୟାକେଜ୍ ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲା। ଏହାସହ ସେମାନଙ୍କୁ ସେନା ବାହାରେ ଚାକିରି କରିବା ପାଇଁ ସହାୟକ ହେବା ଉଦ୍ଦେଶ୍ୟରେ ଦକ୍ଷତା ପ୍ରମାଣପତ୍ର ମଧ୍ୟ ଦିଆଯାଏ।
ଅଗ୍ନିପଥ ଯୋଜନାରେ ନିଯୁକ୍ତ ପ୍ରଥମ ବ୍ୟାଚ୍ର ଅଗ୍ନିବୀରମାନେ ଏବେ ସେମାନଙ୍କ ଚାରି ବର୍ଷର ସେବା ଅବଧି ପୂରଣ କରିବାକୁ ଯାଉଛନ୍ତି। ବିଭିନ୍ନ ସେନାର ପ୍ରଥମ ବ୍ୟାଚ୍ର କାର୍ଯ୍ୟକାଳ ଶେଷ ହେବାର ତାରିଖ ହେଉଛି:
ନୌସେନା: ନଭେମ୍ବର ୨୧, ୨୦୨୬
ବାୟୁସେନା: ଡିସେମ୍ବର ୨୧, ୨୦୨୬
ସ୍ଥଳସେନା: ଡିସେମ୍ବର ୩୧, ୨୦୨୬
୨୦୨୬ ମସିହା ଶେଷ ସୁଦ୍ଧା ପ୍ରଥମ ବ୍ୟାଚ୍ର ୧୮ ହଜାରରୁ ଅଧିକ ଅଗ୍ନିବୀର ସେମାନଙ୍କ ଚାରି ବର୍ଷର ସେବା ଅବଧି ପୂରଣ କରିବେ ବୋଲି ଆକଳନ କରାଯାଇଛି।ତେବେ ନୂଆ ନିଷ୍ପତ୍ତି ଅଗ୍ନିବୀରମାନଙ୍କ ପାଇଁ ଏକ ଅତିରିକ୍ତ ସେବା ସୁଯୋଗ ସୃଷ୍ଟି କରିଛି। ଚାରି ବର୍ଷ ପରେ ସେବା ଶେଷ ହେବା ପରିବର୍ତ୍ତେ ଯୋଗ୍ୟ ଅଗ୍ନିବୀରମାନେ ଆଉ ଦୁଇ ବର୍ଷ କାର୍ଯ୍ୟ କରିପାରିବେ। ଏହାପରେ ପୁନର୍ବାର ନିୟମିତ ସେନାରେ ସ୍ଥାୟୀ ନିଯୁକ୍ତି ପାଇଁ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ।
Tags:




