ରାହୁଲଙ୍କ ପରେ ଏବେ ତାଙ୍କ ସହଯୋଗୀ ଦଳର ନେତାଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ବ୍ୟବସାୟୀ
ନଭେମ୍ବର ୧ର ରାଲି ସ୍ଥଗିତ ରଖିବାକୁ ଅନୁରୋଧ
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବ୍ୟବସାୟର ସବୁଠାରୁ ବ୍ୟସ୍ତ ସମୟକୁ ଦୃଷ୍ଟିରେ ରଖି ନଭେମ୍ବର ୧ରେ ରାମଲୀଳା ମୈଦାନରେ ହେବାକୁ ଥିବା କଂଗ୍ରେସର ରାଲିକୁ ସ୍ଥଗିତ ରଖିବା ପାଇଁ ଦିଲ୍ଲୀର ବ୍ୟବସାୟୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକାଧିକ ଥର ଚିଠି ଲେଖିବା ପରେ ଏବେ ସେମାନେ ଇଣ୍ଡି ମେଣ୍ଟର ଅନ୍ୟ ନେତାଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ନେତାଙ୍କ ମଧ୍ୟରେ ଅଖିଳେଶ ଯାଦବ, ମମତା ବାନାର୍ଜୀ, ତେଜସ୍ୱୀ ଯାଦବ ଏବଂ ଉଦ୍ଧବ ଠାକରେ ପ୍ରମୁଖ ରହିଛନ୍ତି। ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ବିରୋଧୀ ଦଳ ନେତାମାନଙ୍କୁ ଚିଠି ଲେଖି ନଭେମ୍ବର ୧୦ କିମ୍ବା ୧୧ ପରେ ରାଲି ଆୟୋଜନ କରିବାକୁ କଂଗ୍ରେସକୁ ବୁଝାଇବା ପାଇଁ ଅନୁରୋଧ କରାଯାଇଛି। ବ୍ୟବସାୟୀ ସଂଗଠନର କହିବା ଅନୁସାରେ, ଏହି ରାଲି ଯୋଗୁଁ କେନ୍ଦ୍ରୀୟ ଦିଲ୍ଲୀ ଏବଂ ପୁରୁଣା ଦିଲ୍ଲୀର ପ୍ରାୟ ୨୦ଟି ବଡ଼ ହୋଲସେଲ୍ ଓ ରିଟେଲ୍ ବଜାରରେ ପ୍ରତିଦିନ ୧୦ ହଜାରରୁ ୧୨ ହଜାର କୋଟି ଟଙ୍କାର ବ୍ୟବସାୟ ପ୍ରଭାବିତ ହୋଇପାରେ। ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କହିଛନ୍ତି ଯେ, ସଂଗଠନ ରାଲିର ବିରୋଧୀ ନୁହେଁ। କିନ୍ତୁ ଏଥିରେ ପ୍ରାୟ ୧୦ ଲକ୍ଷ ଲୋକ ଏବଂ ୧୫ରୁ ୨୦ ହଜାର ଗାଡ଼ି ଯୋଗଦେବାର ଆଶଙ୍କା ରହିଛି। ଫଳରେ ବ୍ୟବସାୟିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯାଇପାର। ସେ କହିଛନ୍ତି, ଆମେ ରାଲିର ବିରୋଧ କରୁନାହୁଁ। ଦୀପାବଳିର ଏହି ବ୍ୟସ୍ତତମ ବ୍ୟବସାୟିକ ସମୟରେ ଆମ ଜୀବିକା ରକ୍ଷା କରିବା ପାଇଁ ହାତଯୋଡ଼ି ନିବେଦନ କରୁଛୁ। ଧନତେରସ୍ ନଭେମ୍ବର ୬ ଏବଂ ଦୀପାବଳି ନଭେମ୍ବର ୮ରେ ପଡ଼ୁଛି। ବ୍ୟବସାୟୀଙ୍କ କହିବା ଅନୁସାରେ, ନଭେମ୍ବର ୧ ହେଉଛି ପର୍ବପର୍ବାଣୀ ପାଇଁ ସାମଗ୍ରୀ ମହଜୁଦ୍ ରଖିବା ଏବଂ ବ୍ୟବସାୟ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ରାମଲୀଳା ମୈଦାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥିବାକୁ ବ୍ୟବସାୟୀ ସଂଗଠନ ସବୁଠାରୁ ବଡ଼ ସମସ୍ୟା ବୋଲି ଦର୍ଶାଇଛି। ସିଟିଆଇ ଦାବି ଅନୁସାରେ, ଏହି ପଡ଼ିଆରେ ୨୦୦ଟି ବଡ଼ ବସ୍ ମଧ୍ୟ ରଖିବା ସମ୍ଭବ ନୁହେଁ। ତେଣୁ ରାଲିକୁ ଆସିବାକୁ ଥିବା ହଜାର ହଜାର ବସ୍, କାର୍ ଓ ଅନ୍ୟାନ୍ୟ ଗାଡ଼ି ରାସ୍ତା ଉପରେ ପାର୍କିଂ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ଜବାହରଲାଲ ନେହେରୁ ମାର୍ଗ, ବାହାଦୂର ଶାହ ଜାଫର ମାର୍ଗ, ନେତାଜୀ ସୁଭାଷ ମାର୍ଗ ସହିତ ଚାନ୍ଦନୀ ଚୌକ୍ ଏବଂ ଅଜମେରୀ ଗେଟ୍ ଆଖପାଖ ରାସ୍ତାରେ ଭୟଙ୍କର ଟ୍ରାଫିକ୍ ଜାମ୍ ହୋଇପାରେ ବୋଲି ସଂଗଠନ ଚେତାବନୀ ଦେଇଛି। ସିଟିଆଇ ଆଶଙ୍କା କରିଛି ଯେ, ଏହି ରାଲି ଯୋଗୁ କେନ୍ଦ୍ରୀୟ ଦିଲ୍ଲୀ ଏବଂ ପୁରୁଣା ଦିଲ୍ଲୀରେ ଲକଡାଉନ୍ ଭଳି ଟ୍ରାଫିକ୍ ପରିସ୍ଥିତି ସୃଷ୍ଟି ହୋଇପାରେ।ଏଥିରେ ଚାନ୍ଦନୀ ଚୌକ୍, ସଦର ବଜାର, କନଟ୍ ପ୍ଲେସ୍, ଖାରୀ ବାଓଲି, ଭାଗୀରଥ ପ୍ୟାଲେସ୍, ଚାୱଡ଼ି ବଜାର, କରୋଲ ବାଗ୍ ଏବଂ ଦରିଆଗଞ୍ଜ ଭଳି ପ୍ରମୁଖ ବଜାର ପ୍ରଭାବିତ ହୋଇପାରେ। ସଂଗଠନ ଅନୁସାରେ, ଦିଲ୍ଲୀର ଶିଳ୍ପାଞ୍ଚଳରୁ ପ୍ରତିଦିନ ପ୍ରାୟ ୫ ହଜାର ଟ୍ରକ୍ ଓ ଟେମ୍ପୋ ଏହି ବଜାରଗୁଡ଼ିକୁ ସାମଗ୍ରୀ ଆଣିଥାନ୍ତି। ଏହା ବ୍ୟତୀତ ଆଉ ୩ ହଜାର ଗାଡ଼ି ଏନ୍ସିଆର ସହର ଏବଂ ଦେଶର ଅନ୍ୟ ଅଞ୍ଚଳକୁ ସାମଗ୍ରୀ ପରିବହନ କରିଥାଏ। ଅକ୍ଟୋବର ୩୧ରୁ ହିଁ ଏହି ସମସ୍ୟା ଆରମ୍ଭ ହୋଇପାରେ। କାରଣ ସିଂଘୁ, ଟିକ୍ରି, ଗାଜିପୁର ଏବଂ ବଦରପୁର ସୀମା ଦେଇ ରାଲି ପାଇଁ ଗାଡ଼ି ଦିଲ୍ଲୀରେ ପ୍ରବେଶ କରିବାର ଆଶଙ୍କା ରହିଛି। ବ୍ୟାରିକେଡିଂ ଏବଂ ଟ୍ରାଫିକ୍ କଟକଣା ଭୟରେ ପରିବହନକାରୀମାନେ ମଧ୍ୟ ସାମଗ୍ରୀ ପଠାଇବାକୁ ଅନିଚ୍ଛା ପ୍ରକାଶ କରୁଥିବା ସିଟିଆଇ ଦାବି କରିଛି।
Tags:




