୧ ହଜାର ବର୍ଷର ଦାସତ୍ୱ ପରେ ୫୦ କୋଟି ଭାରତୀୟ ଦାରିଦ୍ର୍ୟରୁ ମୁକ୍ତ: ପ୍ରଧାନମନ୍ତ୍ରୀ ମୋଦୀ
ଅହମଦାବାଦ: ଦେଶରୁ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଗତ ୧୩ ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ଭାରତୀୟ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଛନ୍ତି। ଏହାକୁ ଦେଶ ପାଇଁ ଏକ ଐତିହାସିକ ଉପଲବ୍ଧି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୀର୍ଘ ୧ ହଜାର ବର୍ଷର ଦାସତ୍ୱ ପରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। ରବିବାର ଗୁଜରାଟରେ ଆୟୋଜିତ ଦୀପାବଳି ପରବର୍ତ୍ତୀ ‘ସ୍ନେହ ମିଳନ’ କାର୍ଯ୍ୟକ୍ରମରେ ବିଜେପି କର୍ମୀଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ମୋଦୀ ଏହି କଥା କହିଛନ୍ତି। ଦେଶର ୧୮୨ଟି ବିଧାନସଭା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୋଦୀ କହିଛନ୍ତି, ଦେଶରେ ଦାରିଦ୍ର୍ୟ ହ୍ରାସ ପାଇଥିବା ସତ୍ତ୍ୱେ କିଛି ଲୋକ ଏହାକୁ ସ୍ୱୀକାର କରିବାକୁ କୁଣ୍ଠାବୋଧ କରୁଛନ୍ତି। କାରଣ ଏହି ସଫଳତା ତାଙ୍କ ସରକାରଙ୍କ ଶାସନ କାଳରେ ମିଳିଛି। କିନ୍ତୁ ଏହାକୁ ନେଇ ସରକାର ସନ୍ତୁଷ୍ଟ ଥିବା ସେ କହିଛନ୍ତି। ଆମର ଉଦ୍ଦେଶ୍ୟ ଠିକ୍ ଥିଲା, ନୀତି ଠିକ୍ ଥିଲା ଏବଂ କାର୍ଯ୍ୟ କରିବାର ଦିଗ ମଧ୍ୟ ସଠିକ୍ ଥିଲା। ଏଥିପାଇଁ ଆମେ କୌଣସି ପ୍ରୟାସରେ ଅବହେଳା କରିନାହୁଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦାବି ପାଇଁ ବିଶ୍ୱବ୍ୟାଙ୍କର ଏକ ସଦ୍ୟତମ ଆକଳନକୁ ଆଧାର କରିଛନ୍ତି। ରିପୋର୍ଟ ଅନୁସାରେ, ନିମ୍ନ ମଧ୍ୟମ ଆୟକାରୀ ଦେଶ ପାଇଁ ଧାର୍ଯ୍ୟ ଦୈନିକ ୪.୨୦ ଡଲାର ଦାରିଦ୍ର୍ୟ ସୀମା ତଳେ ରହୁଥିବା ଭାରତୀୟଙ୍କ ଅନୁପାତ ୨୦୧୧-୧୨ରେ ୫୭.୭ ପ୍ରତିଶତ ଥିବାବେଳେ ୨୦୨୩-୨୪ରେ ଏହା ହ୍ରାସ ପାଇ ୧୬.୧ ପ୍ରତିଶତରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପ୍ରାୟ ୪୯.୬ କୋଟି ଲୋକ ଉକ୍ତ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଛନ୍ତି। ସେହିପରି ଅତି ଗରିବ ବା ଚରମ ଦାରିଦ୍ର୍ୟର ମାପଦଣ୍ଡ ଦୈନିକ ୩ ଡଲାର ହିସାବରେ ଦେଖିଲେ, ଏହି ବର୍ଗରେ ଥିବା ଭାରତୀୟଙ୍କ ଅନୁପାତ ୨୦୧୧ରେ ୨୭.୧ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ୨.୬ ପ୍ରତିଶତକୁ ଖସିଆସିଛି। ଏହି ଉପଲବ୍ଧିକୁ ଦେଶର ନାଗରିକଙ୍କ ଜୀବନରେ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି କହିବା ସହ ଆଗାମୀ ପିଢ଼ି ଭାରତର ସ୍ୱର୍ଣ୍ଣିମ ଯୁଗ ଦେଖିବେ ବୋଲି ମୋଦୀ ଆଶା ପ୍ରକାଶ କରିଛନ୍ତି। ଏହା ସହିତ ସେ ଗୁଜରାଟର ବିକାଶ ଯାତ୍ରା ଓ ନିଜର ରାଜନୈତିକ ଜୀବନର ୨୫ ବର୍ଷ ପୂର୍ତ୍ତି କଥା ମଧ୍ୟ ଉଲ୍ଲେଖ କରିଥିଲେ। ୨୦୦୧ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଦଳୀୟ କର୍ମୀଙ୍କ ସହଯୋଗ ତାଙ୍କୁ ରାଜ୍ୟ ଓ ଦେଶର ସେବା କରିବାର ସୁଯୋଗ ଦେଇଛି ବୋଲି ସେ କହିଥିଲେ।




