ଅଭିଜିତ ଦିପକେ - ଧୃବ ରାଠି ଅଟକ
ନୂଆଦିଲ୍ଲୀ : ସିଜେପି ଆନ୍ଦୋଳନ ପୂର୍ବରୁ ବଡ଼ ଆକ୍ସନ । ୟୁଟ୍ୟୁବର୍ ଧୃବ ରାଠି ଏବଂ ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କ ସମେତ ଅନ୍ୟ କେତେକ ନେତାଙ୍କୁ ଅଟକ ରଖିଛି ଗୁରୁଗ୍ରାମ ପୋଲିସ । ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାରେ ହୋଇଥିବା ସ୍ପେଶାଲ ଇନଟେନସିଭ୍ ରିଭିଜନ (SIR) ଅନିୟମିତତା ବିରୋଧରେ ଆଜି ୧୦ ଅକ୍ଟୋବରରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ୱାନ ଦିଆଯାଇଥିଲା ।
ସମ୍ଭାବ୍ୟ ବଡ଼ଧରଣର ବିକ୍ଷୋଭ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀକୁ ଏକପ୍ରକାର ସୁରକ୍ଷା ବଳୟରେ ରଖାଯାଇଛି । ପ୍ରାୟ ୪୦ ହଜାର ସୁରକ୍ଷାକର୍ମୀ ମୁତୟନ, ଇଣ୍ଟରନେଟ୍ ସେବା ଉପରେ କଟକଣା ଏବଂ ମେଟ୍ରୋ ସେବା ବନ୍ଦ ଭଳି ପଦକ୍ଷେପ ନିଆଯାଇଛି । ପ୍ରତିବାଦକାରୀମାନେ ଯେପରି ବହୁ ସଂଖ୍ୟାରେ ଦିଲ୍ଲୀରେ ଏକାଠି ହୋଇପାରିବେ ନାହିଁ, ସେଥିପାଇଁ ପ୍ରଶାସନ ବିଶେଷ ସତର୍କତା ଅବଲମ୍ବନ କରିଛି । ଗୁରୁତ୍ୱପୂର୍ଣ୍ଣ ରାସ୍ତା, ପ୍ରବେଶ ପଥ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇଥିଲା ।
ଜର୍ମାନୀରୁ ଭାରତ ଫେରିବା ପରେ ୟୁଟ୍ୟୁବର୍ ଧୃବ ରାଠି ଶନିବାର ସକାଳେ ଏହି ଆନ୍ଦୋଳନରେ ଯୋଗଦେବା ପାଇଁ ବାହାରୁଥିବା ବେଳେ ଗୁରୁଗ୍ରାମର ସେକ୍ଟର-୫୬ ସ୍ଥିତ ବାସଭବନରୁ ପୋଲିସ ତାଙ୍କୁ ଉଠାଇ ନେଇଛି ।
ସେହିପରି ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ପୋଲିସ ସେମାନଙ୍କୁ ବିମାନ ଭିତରୁ ହିଁ ଅଟକ ରଖିଛି ।
ନିକଟରେ ବେଙ୍ଗାଲୁରୁର ଫ୍ରିଡମ୍ ପାର୍କରେ ଏହି ନେତାମାନେ ଅଭିନେତା ପ୍ରକାଶ ରାଜଙ୍କ ସହ ମିଶି ଏକ ବଡ଼ ପ୍ରତିବାଦ ସଭା କରିଥିବା ସୂଚନା ରହିଛି ।




