ବିହାର, ପଶ୍ଚିମବଙ୍ଗ ସମେତ ୯ ରାଜ୍ୟର ରାଜ୍ୟପାଳ ବଦଳିଲେ

ବିହାର, ପଶ୍ଚିମବଙ୍ଗ ସମେତ ୯ ରାଜ୍ୟର ରାଜ୍ୟପାଳ ବଦଳିଲେ
Samaya Live Desk Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂତନ ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ନିଯୁକ୍ତି ତଥା ବଦଳି ଘୋଷଣା କରିଛନ୍ତି। ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଲଦାଖର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁଙ୍କୁ ଦିଲ୍ଲୀର ଉପରାଜ୍ୟପାଳ ନିଯୁକ୍ତି ଦିଆଯାଇଛି। ତାମିଲନାଡୁ ରାଜ୍ୟପାଳ ଆର୍‌ ଏନ୍‌ ରବିଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।  ତେବେ ତାମିଲନାଡୁ ରାଜ୍ୟପାଳ ରବିଙ୍କୁ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯିବା ସଂକ୍ରାନ୍ତ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ଅଚାନକ ଇସ୍ତଫାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ହିମାଚଳ ପ୍ରଦେଶ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲାଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ତେଲେଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମାଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଅତା ହସ୍‌ନେନଙ୍କୁ ବିହାରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡ଼ୁ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ବେଳେ ଲଦାଖର ବର୍ତ୍ତମାନର ଲେଫ୍ଟନାଣ୍ଟ ଗଭର୍ଣ୍ଣର କବିନ୍ଦର ଗୁପ୍ତାଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ନାଗାଲାଣ୍ଡର ନୂଆ ରାଜ୍ୟପାଳ ଭାବେ ନନ୍ଦ କିଶୋର ଯାଦବଙ୍କୁ ନିଯୁକ୍ତି ଦିଆଯାଇଛି।

 

Tags: