ଉତ୍ତରପ୍ରଦେଶରେ ଦୁଇ ପୃଥକ୍‌ ଦୁର୍ଘଟଣାରେ ୯ ମୃତ

ଉତ୍ତରପ୍ରଦେଶରେ ଦୁଇ ପୃଥକ୍‌ ଦୁର୍ଘଟଣାରେ ୯ ମୃତ
Samaya Live Desk Picture
Published On
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ସୋମବାର ସନ୍ଧ୍ୟାରେ ଦୁଇଟି ଭିନ୍ନ ସଡ଼କ ଦୁର୍ଘଟଣାରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେର ରାୟା ଥାନା ଅନ୍ତର୍ଗତ ୧୧୨ ନମ୍ବର ମାଇଲଷ୍ଟୋନ୍ ନିକଟରେ ପ୍ରାୟ ୬୫ ଜଣ ଯାତ୍ରୀଙ୍କୁ ନେଇ ଲକ୍ଷ୍ନୌରୁ ନଏଡ଼ା‌ ଅଭିମୁଖେ ଯାଉଥିବା ଏକ ଡବଲ୍-ଡେକର ସ୍ଲିପର ବସ୍ ଆଗରେ ଯାଉଥିବା ଏକ ଟ୍ରେଲର ସହ ପିଟି ହେବା ଫଳରେ ୪ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ଓ ୧୯ ଜଣ ଆହତ ହୋଇଛନ୍ତି।। ଅନ୍ୟ ଏକ ଦୁଃଖଦାୟକ ଘଟଣା ଫିରୋଜାବାଦରୁ ଘଟିଛି। ପ୍ରବଳ ଝଡ଼ ତୋଫାନ ଯୋଗୁ ରାସ୍ତା କଡ଼ରେ ଥିବା ଏକ ବିରାଟ ନିମ୍ବ ଗଛ ଉପୁଡ଼ି ଏକ ଚଳନ୍ତା ଇ-ରିକ୍ସା ଉପରେ ପଡ଼ିଯିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ଏବଂ ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚଳାଇଛି।
ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ଶର୍ମାଙ୍କ ସୂଚନା ଅନୁଯାୟୀ, ଇ-ରିକ୍ସାଟି ଏଟା ଜିଲ୍ଲାର ଆୱାଗଡ଼ରୁ ଫରିହା ଆଡ଼କୁ ଯାଉଥିବା ବେଳେ ହଠାତ୍ ଏହି ଅଘଟଣ ଘଟିଥିଲା। ଗଛଟି ସିଧାସଳଖ ଗାଡ଼ି ଉପରେ ପଡ଼ିବାରୁ ସେଥିରେ ଥିବା ୮ ଜଣ ଯାତ୍ରୀ ଭିତରେ ଫସି ରହିଥିଲେ। ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଗ୍ରାମବାସୀ ଏକ ଜେସିବି ମେସିନ ସାହାଯ୍ୟରେ ଗଛକୁ ହଟାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ୫ ଜଣ ପ୍ରାଣ ହରାଇଥିଲେ। ମୃତକମାନେ ହେଲେ ଗଜେନ୍ଦ୍ର (୨୮), ହରେଶ ପାଲ୍ (୫୯), ବିଷ୍ଣୁ (୨୦), ଅମନ (୧ ୭) ଏବଂ ଗଙ୍ଗା ସିଂହ (୬୫)। ପୋଲିସ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।
Tags: