ଦିଲ୍ଲୀରେ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ
ନୂଆଦିଲ୍ଲୀ : ରବିବାର ପ୍ରତ୍ୟୁଷରେ ପୂର୍ବ ଦିଲ୍ଲୀର ବିବେକ ବିହାରରେ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ବିବେକ ବିହାର ଫେଜ୍-୧ରେ ଥିବା ଏକ ଚାରି ମହଲା କୋଠାରେ ଭୋର ପ୍ରାୟ ୩.୪୮ ସମୟରେ ଏହି ଘଟଣା ଘଟିଛି। ଖବର ପାଇ ପୋଲିସ, ଅଗ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଅନୁଯାୟୀ, ଅଗ୍ନିକାଣ୍ଡ କୋଠାର ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ମହଲାରେ ଥିବା ଫ୍ଲାଟଗୁଡ଼ିକୁ ପୋଡ଼ି ଦେଇଥିଲା, ଯାହା ଫଳରେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଗ୍ନି ନିର୍ବାପନ କାର୍ଯ୍ୟ ସମୟରେ ପ୍ରାୟ ୧୦ ରୁ ୧୫ ଜଣଙ୍କୁ ପରିସରରୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସାମାନ୍ୟ ଆହତ ହୋଇଥିବା ଗୁରୁ ତେଗ୍ ବାହାଦୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ନିଆଁ ଲିଭାଇବା ପାଇଁ ମୋଟ୍ ୧୨ଟି ଅଗ୍ନିଶମ ଗାଡି ନିୟୋଜିତ କରାଯାଇଥିଲା। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍ଏ ଟ୍ରାଫିକ୍ ପୋଲିସ ଏବଂ ସ୍ଥାନୀୟ ପୋଲିସର ଦଳ ଉଦ୍ଧାର ଏବଂ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା କରିଥିଲେ। ପୋଲିସ କହିଛି ଯେ କିଛି ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଏବଂ ଅଗ୍ନିକାଣ୍ଡର କାରଣ ନିର୍ଣ୍ଣୟ କରିବାକୁ ପ୍ରୟାସ ଜାରି ରହିଛି ବୋଲି ପୋଲିସ କହିଛି।




