ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଘର ଓ କାନ୍ଥ ଭୁଶୁଡ଼ି ୯ ଜଣଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଘର ଓ କାନ୍ଥ ଭୁଶୁଡ଼ି ୯ ଜଣଙ୍କ ମୃତ୍ୟୁ
Samaya Live Desk Picture
Published On

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ଘର ଓ କାନ୍ଥ ଭୁଶୁଡ଼ି ପଡ଼ିବା ଭଳି ପୃଥକ ପୃଥକ ଘଟଣାରେ ଅତି କମ୍‌ରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଏବଂ ୨ ଜଣ ନବଜାତ ରହିଛନ୍ତି। ପ୍ରତାପଗଡ଼, ବାରାବାଙ୍କି ଓ ସହାରନପୁର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ସବୁଠାରୁ ଭୟାବହ ଘଟଣା ପ୍ରତାପଗଡ଼ ଜିଲ୍ଲାରେ ଘଟିଥିଲା। ପ୍ରାୟ ୧୦୦ ବର୍ଷ ପୁରୁଣା ଏକ ଘର ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ବାରାବାଙ୍କିରେ କାନ୍ଥ ଭୁଶୁଡ଼ି ପଡ଼ି ଦୁଇ ଭାଇଭଉଣୀଙ୍କର ମୃତ୍ୟୁ ଘଟିଥିଲା ଏବଂ ସହାରନପୁରରେ ମାଟି ଘର ଭାଙ୍ଗି ପଡ଼ିବାରୁ ଜଣେ ମହିଳାଙ୍କ ଜୀବନ ଯାଇଥିଲା। ସବୁଠାରୁ ବଡ଼ ଦୁର୍ଘଟଣା ଅଗଷ୍ଟ ୫ ଓ ୬ ତାରିଖ ମଧ୍ୟରାତ୍ରି ପ୍ରାୟ ରାତି ୨ଟା ସମୟରେ ପ୍ରତାପଗଡ଼ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ମହୁଲି ବଜାରରେ ଘଟିଥିଲା। ପ୍ରାୟ ଶତାବ୍ଦୀ ପୁରୁଣା ଘରଟି ଭୁଶୁଡ଼ି ପଡ଼ିବା ବେଳେ ପରିବାରର ସାତଜଣ ସଦସ୍ୟ ଘର ଭିତରେ ଶୋଇଥିଲେ। ସିଟି ସର୍କଲ ଅଫିସର ଆଶୁତୋଷ ମିଶ୍ରଙ୍କ କହିବା ଅନୁସାରେ, ଏହି ଘଟଣାରେ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ପ୍ରମୋଦ ଶ୍ରୀବାସ୍ତବ (୬୦), ତାଙ୍କ ପତ୍ନୀ ରୀତା (୫୫, ପୁଅ ନୀତିନ (୨୫), ବୋହୂ ମାଧୁରୀ (୨୪), ବଡ଼ ପୁଅ ଅମନଙ୍କ ଦୁଇ ପୁଅ। ପରିବାରର ବଡ଼ ପୁଅ ଅମନ (୨୮) ଭଙ୍ଗା ଘରର ଭଗ୍ନାବଶେଷ ତଳୁ ବାହାରି ଆସି ପଡ଼ୋଶୀମାନଙ୍କୁ ଖବର ଦେବାରୁ ବଞ୍ଚିଯାଇଥିଲେ। ପୋଲିସ, ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକମାନେ ମିଳି ଉଦ୍ଧାର କାର୍ଯ୍ୟ ଚଳାଇ ଫସିଥିବା ଲୋକଙ୍କୁ ବାହାର କରିଥିଲେ। ଆହତମାନଙ୍କୁ ସରକାରୀ ମେଡିକାଲ କଲେଜକୁ ନିଆଯାଇଥିଲା, ସେଠାରେ ଛଅ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ବାରାବାଙ୍କି ଜିଲ୍ଲାର ଆଲିୟାବାଦ ଗାଁରେ ଗୁରୁବାର ସକାଳେ ପାଞ୍ଚଜଣ ଶିଶୁ ଗାଁ ରାସ୍ତାରେ ଖେଳୁଥିବା ବେଳେ ଏକ ପୁରୁଣା ଇଟା କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସିଟି ସର୍କଲ ଅଫିସର ସୌରଭ ଶ୍ରୀବାସ୍ତବ କହିଛନ୍ତି ଯେ, ପାଞ୍ଚଜଣ ଶିଶୁ ମଳବା ତଳେ ଫସିଯାଇଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ ୭ ବର୍ଷର ଜଣେ ବାଳକ ଓ ତାଙ୍କ ୧୪ ବର୍ଷୀୟା ଭଉଣୀଙ୍କୁ ମୃତ ଘୋଷଣା କରାଯାଇଥିଲା। ଆହତ ଅନ୍ୟ ତିନିଜଣ ଶିଶୁଙ୍କ ଚିକିତ୍ସା ଚାଲିଛି। ଘଟଣାର ତଦନ୍ତ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କାନ୍ଥଟି ପୂର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ଏବଂ ଲଗାଣ ବର୍ଷା ଯୋଗୁ ଆହୁରି ଦୁର୍ବଳ ହୋଇଯାଇଥିଲା।

Tags: