ବିଷାକ୍ତ ମଦ ପିଇ ୯ ମୃତ, ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ
ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାସ୍ଥିତ ବଣ୍ଡା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବିଷାକ୍ତ ମଦ ପିଇ ଅତି କମ୍ରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଶନିବାର ରାତିରେ ଘୂଘର, ନଓରାଜ ଓ ବାରାଜ ଗ୍ରାମର କିଛି ଲୋକ ମଦ ସେବନ କରିବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ବାନ୍ତି ଓ ଅତ୍ୟଧିକ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ସେମାନଙ୍କୁ ତୁରନ୍ତ ଚିକିତ୍ସାଳୟ ନେଇଥିଲେ। ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଆଜି ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ଏଥିସହିତ ପ୍ରଶାସନ ପକ୍ଷରୁ ମଦର ନମୁନା ଜବତ କରାଯାଇ ଫୋରେନ୍ସିକ୍ ପରୀକ୍ଷା ପାଇଁ ପଠାଯାଇଛି। ସ୍ଥାନୀୟ ଅଞ୍ଚଳରେ ବେଆଇନ ମଦ କାରବାର ନେଟୱର୍କ ସକ୍ରିୟ ଥିବା ସନ୍ଦେହ କରାଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ଅଧିକ ବଢ଼ିପାରେ। ଗତ ମାସରେ ଗୁଜରାଟର ଭାବନଗର ଜିଲ୍ଲାରେ ମଧ୍ୟ ବିଷାକ୍ତ ମଦ ଟ୍ରାଜେଡି ଘଟିଥିଲା, ଯେଉଁଥିରେ ୧୩ ଜଣଙ୍କ ପ୍ରାଣହାନି ଘଟିଥିଲା।




