ଦାମାସ୍କସ୍ କାଫେରେ ଭୟଙ୍କର ବୋମା ବିସ୍ଫୋରଣ, ୯ ମୃତ
ଦାମାସ୍କସ୍: ସିରିଆ ରାଜଧାନୀ ଦାମାସ୍କସ୍ର ଏକ କାଫେରେ ଗୁରୁବାର ଭୟଙ୍କର ବୋମା ବିସ୍ଫୋରଣ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ଦଶନ୍ଧିରୁ ଅଧିକ ସମୟ ଧରି ଯୁଦ୍ଧ ଦେଖିଥିବା ଏହି ଦେଶର ଇସଲାମିକ ନେତାମାନଙ୍କ ପାଇଁ ଏହା ଏକ ସଦ୍ୟତମ ଚ୍ୟାଲେଞ୍ଜ। ଗତବର୍ଷ ଏକ ଚର୍ଚ୍ଚ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପରେ ଏହି ବିସ୍ଫୋରଣ ସବୁଠାରୁ ଭୟଙ୍କର ଥିଲା। ତେବେ ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷା ବାହିନୀ ବିସ୍ଫୋରଣ ଘଟିଥିବା ସ୍ଥାନକୁ ଘେରାବନ୍ଦୀ କରିଛନ୍ତି। ଦାମାସ୍କସ୍ର ନ୍ୟାୟ ଭବନ ନିକଟରେ ଥିବା ଏକ କାଫେରେ ଘଟିଥିବା ବିସ୍ଫୋରଣ ସେହି ସ୍ଥାନରେ ରଖାଯାଇଥିବା ଏକ ବିସ୍ଫୋରକ ଉପକରଣ ଯୋଗୁ ହୋଇଥିଲା ବୋଲି ସରକାରୀ ଟେଲିଭିଜନ କହିଛି। ମନ୍ତ୍ରଣାଳୟ କହିଛି ଯେ, ତଦନ୍ତକାରୀମାନେ ଭିଡିଓ ଫୁଟେଜ୍ ସମୀକ୍ଷା କରି ସାକ୍ଷୀମାନଙ୍କ ସହ କଥା ହୋଇଛନ୍ତି ଓ ଘଟଣାସ୍ଥଳରୁ ଫୋରେନସିକ୍ ପ୍ରମାଣ ସଂଗ୍ରହ କରୁଛନ୍ତି। ଦାମାସ୍କସ୍ ଗଭର୍ନର ମାହେର ଏଲଡିବି କହିଛନ୍ତି , କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ଏହି ରକ୍ତପାତ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି। ପ୍ରତ୍ୟେକ ଥର ଯେତେବେଳେ ଦେଶ ସ୍ଥିରତା ଆସିଥାଏ ସେତେବେଳେ ଅସ୍ଥିରତା ସୃଷ୍ଟି କରିବାକୁ ଅରାଜକ ତତ୍ତ୍ବ ସକ୍ରିୟ ହୋଇଥାନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଜୁନ୍ ୨୦୨୫ ରେ ଦାମାସ୍କସ୍ ଚର୍ଚ୍ଚ ଆକ୍ରମଣରେ ମଧ୍ୟ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା।




