ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ସ୍କୁଲ୍ ସହପାଠୀ ଅସଗର୍ ବୋରା
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ସ୍କୁଲ୍ ସାଙ୍ଗ ଅସଗର୍ ଅଲି ବୋରାଙ୍କ ଦୀର୍ଘ ଦିନର ସମ୍ପତ୍ତି ବିବାଦର ସମାଧାନ ହୋଇଛି । ୮୧ ବର୍ଷୀୟ ଅସଗର ଅଲି ବୋରା ମହାରାଷ୍ଟ୍ରର ଥାନେ ଜିଲ୍ଲାର ମୀରା ରୋଡ୍ରେ ରହନ୍ତି। ମୋଦୀ ଏବଂ ସେ ଗୁଜରାଟ ବଡ଼ନଗରର ବିଏନ୍ ସ୍କୁଲ୍ରେ ଏକାଠି ପାଠ ପଢ଼ିଥିଲେ। ଦୁହେଁ ଭଲ ବନ୍ଧୁ ଥିଲେ। ବୋରା ଦୀର୍ଘ ଦିନ ଧରି ଏକ ସମ୍ପତ୍ତି ବିବାଦରେ ଫସି ଯାଇଥିଲେ। ସେ କିଣିଥିବା ଏକ ଜମିକୁ ବେଆଇନ ଭାବେ ୨ଟି ବିଲ୍ଡର ସଂସ୍ଥା ଜବରଦଖଲ କରିନେଇଥିଲେ। ବହୁ ଚେଷ୍ଟା କରି ମଧ୍ୟ ବୋରା ବିବାଦୀୟ ସମ୍ପତ୍ତିକୁ ନିଜ ଦଖଲକୁ ଆଣିପାରିନଥିଲେ। ଶେଷରେ ସାହାଯ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ପହଞ୍ଚିଲେ। ନିଜ ପିଲାଦିନର ସାଙ୍ଗ ପାଖରେ ସେ ନିଜ ସହ ଘଟିଥିବା ସବୁ ଅନ୍ୟାୟ ବିଷୟରେ କହିଥିଲେ। ମୋଦୀ ଏହି ମାମଲାରେ ହସ୍ତକ୍ଷେପ କଲେ ଏବଂ ବୋରା ତାଙ୍କ ବିବାଦୀୟ ଜମି ଫେରି ପାଇଲେ। ଏହି ଖବରଟି ଏବେ ସବୁଠି ଚର୍ଚ୍ଚାରେ ରହିଛି। ମହାରାଷ୍ଟ୍ରର ମୀରା ଭୟନ୍ଦର୍ର ବିଜେପି ବିଧାୟକ ନରେନ୍ଦ୍ର ମେହଟାଙ୍କଠାରୁ ଅସଗର ଅଲି ବୋରା ତାଙ୍କ ବିବାଦୀୟ ଜମି ଫେରି ପାଇଛନ୍ତି। ବିଜେପି ବିଧାୟକ ନରେନ୍ଦ୍ର ମଧ୍ୟ କହିଛନ୍ତି ଯେ ସେ ବିବାଦୀୟ ଜମିକୁ ଛାଡ଼ି ଦେଇଛନ୍ତି ଏବଂ ଏହି ଜମି ଉପରେ ଏକ ନିର୍ମାଣ ପାଇଁ ମିଳିିଥିବା ସ୍ବୀକୃତିକୁ ସେ ଫେରାଇ ଦେଇଛନ୍ତି। ବୋରା ଦାବି କରିଛନ୍ତି ଯେ ସେ ଭୟନ୍ଦର ପୂର୍ବରେ ନବଘରରେ ୧୯୮୯ ମସିହାରେ ୨୮୧୦ ସ୍କୋୟାର୍ ମିଟର୍ର ଏକ ଜମି କିଣିଥିଲେ। ସେ କେବେ ବି ଏହି ଜମି ବିକ୍ରି କରିନାହାନ୍ତି କିମ୍ବା ଅନ୍ୟ କାହାର ନାଁରେ କରିନାହାନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୨୦୧୧ ମସିହାରେ ନକଲି କାଗଜପତ୍ର ପ୍ରସ୍ତୁତ କରି ଏହି ସମ୍ପତ୍ତିକୁ ବେଆଇନ ଭାବେ ୨ ଭାଗ କରାଯାଇଥିଲା, ଯାହା କି ସେ ଜାଣିନଥିଲେ। ବୋରା କହିଥିଲେ ଯେ ଏହି ଜାଗାର ଏକ ଅଂଶକୁ ସ୍ବୟମ ବିଲ୍ଡର୍ସ ନେଇଥିବା ଦର୍ଶାଯାଇଥିଲା ଏବଂ ଅନ୍ୟ ଅଂଶଟି ମେହଟାଙ୍କ ସହ ଜଡ଼ିତ ସେଭେନ୍ ଇଲେଭେନ୍ କନଷ୍ଟ୍ରକସନ୍ସ ସହ ଜଡ଼ିତ ବୋଲି ଜଣାପଡ଼ିଲା। ସେ ଅଭିଯୋଗ କରିଥିଲେ ଯେ ଏହି ଜମିର ମୂଳ ମାଲିକ ସେ ହୋଇଥିଲେ ମଧ୍ୟ ମୀରା ଭୟନ୍ଦର ପୌର ନିଗମର ସହର ଯୋଜନା ବିଭାଗ ଏହି ବିବାଦୀୟ ଜମିରେ ନିର୍ମାଣ ପାଇଁ ଅନୁମତି ଦେଇଥିଲେ। ବୋରା ଏହି ଘଟଣାରେ ଠକେଇ ଅଭିଯୋଗରେ ସିବିଆଇ ତଦନ୍ତ ଦାବି କରିଥିଲେ। ଏହି ମାମଲାରେ ବିଲ୍ଡର ଏବଂ ସରକାରୀ ଅଧିକାରୀଙ୍କ ଭୂମିକା ଉପରେ ସେ ସିବିଆଇ ତଦନ୍ତ ଦାବି କରିଥିଲେ। ସେ ମଧ୍ୟ ଅଭିଯୋଗ କରିଥିଲେ ଯେ ପୌରପାଳିକା, ରାଜସ୍ବ ଏବଂ ପୁଲିସ ବିଭାଗ ମଧ୍ୟ ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି। ବୋରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାପରେ ମହାରାଷ୍ଟ୍ରରେ ବରିଷ୍ଠ ଅଧିକାରୀମାନେ ଏହି ମାମଲାରେ ତତ୍ପରତା ଦେଖାଇଲେ। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀକର ପ୍ରଦେଶୀ ରାଜ୍ୟ ସଚିବାଳୟରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ ଯେଉଁଥିରେ ବୋରା, ମେହଟା, ମୀରା-ଭୟନ୍ଦର, ପୌର ନିଗମ କମିସନର ରାଧା ବିନୋଦ ଶର୍ମା ଏବଂ ଟାଉନ ପ୍ଲାନର ପୁରୁଷୋତ୍ତମ ସିନ୍ଦେ ଯୋଗ ଦେଇଥିଲେ। ବୈଠକ ସମୟରେ ମେହଟା ଟାଉନ୍ ପ୍ଲାନିଂ ବିଭାଗ ନିକଟରେ ଏକ ଚିଠି ଦାଖଲ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ବିବାଦୀୟ ଜମିକୁ ସେ ଛାଡ଼ି ଦେଉଛନ୍ତି ଏବଂ ଏଥିରେ ନିର୍ମାଣ ପାଇଁ ମିଳିଥିବା ଅନୁମତିକୁ ମଧ୍ୟ ଫେରାଇ ଦେଇଛନ୍ତି।




