ସଡ଼କ ଦୁର୍ଘଟଣାରେ ୮ ତାମିଲନାଡ଼ୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ
ଚେନ୍ନାଇ: କେରଳମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାମିଲନାଡ଼ୁର ୮ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି। ସମସ୍ତ ଇଞ୍ଜିନିୟରିଂ ଛାତ୍ର ଏକ କାର୍ରେ ଯାତ୍ରା କରୁଥିବାବେଳେ ସେମାନଙ୍କ ଗାଡ଼ି ଥ୍ରିସୁରର କାଇପାମଙ୍ଗଳମ ସ୍ଥିତ ପନାମ୍ବିକ୍କୁନ୍ନୁର ରାଜପଥରେ ପାର୍କିଂ ହୋଇଥିବା ଏକ ଲରିକୁ ଧକ୍କା ଦେଇଥିଲା। ଶୁକ୍ରବାର ରାତି ପ୍ରାୟ ୧୧.୪୦ରେ ଏହି ଦୁର୍ଘଟଣା ହୋଇଛି। ପୁଲିସ ଅନୁଯାୟୀ ମୃତ ଛାତ୍ରମାନେ ହେଉଛନ୍ତି ଦିଣ୍ଡିଗୁଲ୍ର ଏକ ଇଞ୍ଜିନିୟରିଂ କଲେଜର ଛାତ୍ର। ସେମାନେ ଜାତୀୟ ରାଜପଥ ୬୬ ସଂଲଗ୍ନ ଗୁରୁଭୟୁର୍ରୁ କୋଡ଼ୁଙ୍ଗଲ୍ଲୁର ଯାତ୍ରା କରୁଥିବାବେଳେ ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ୬ ଜଣ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଛାତ୍ରଙ୍କର ନିକଟସ୍ଥ ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ଦିଣ୍ଡିଗୁଲ୍ର ସୂର୍ଯ୍ୟ, ଯୁବସଞ୍ଜିତ, ବିଶ୍ୱ ଏବଂ ଜୋହୁଆ ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ୨ ଜଣ ମୃତକ ସନ୍ତୋଷ ଏବଂ ପ୍ରସନ୍ନା ମଦୁରାଇର। ତେବେ ଅନ୍ୟ ଦୁଇଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନି।




