ତାମିଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା କାର୍, ୮ ମୃତ, ୨ ଗୁରୁତର
ଚେନ୍ନାଇ: ଖୁସିରେ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଛକି ବସିଥିଲା ମୃତ୍ୟୁ। ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ନିମ୍ବଗଛରେ ପିଟିହେଲା କାର୍। ଆଖି ପିଛୁଳାକେ ଚାଲିଗଲା ୮ ଜଣଙ୍କ ଜୀବନ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲାରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସର ସୂଚନା ଅନୁସାରେ, ରବିବାର ଅପରାହ୍ନ ପ୍ରାୟ ୪ଟା ୫ ମିନିଟ୍ ସମୟରେ ଜମ୍ବୁନାଥପୁରମ୍ ଥାନା ଅନ୍ତର୍ଗତ କୋଥୁରପଟ୍ଟି ଫୋର୍ ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କାର୍ରେ ୧୦ ଜଣ ଯାତ୍ରା କରୁଥିଲେ। ସେମାନେ ନାମକ୍କଲ ଜିଲ୍ଲାର ଏରୁମାପଟ୍ଟିଠାରେ ଏକ କାନଫୋଡ଼ା ଉତ୍ସବରେ ଯୋଗଦେଇ ତଞ୍ଜାଭୁର ଜିଲ୍ଲାର ତିରୁକାଟ୍ଟୁପଲ୍ଲୀସ୍ଥିତ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ଚାଳକ କାର୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତାକଡ଼ରେ ଥିବା ଏକ ନିମ୍ବଗଛରେ ଜୋର୍ରେ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ଗୁରୁତର ଅବସ୍ଥାରେ ମୁସିରି ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅନ୍ୟ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଚାଲିଯାଇଥିଲା। ମୃତକମାନେ ହେଲେ ମାଣିକମ୍, ମୁରୁଗନ୍, ରାଜେଶ, ଶକ୍ତିଭେଲ (୪୨), ସୁବ୍ରମଣି, ସଙ୍ଗିଲି, ପାବାଡ଼ାଇ (୫୦) ଓ ସୀତାରାମନ୍। ଅନ୍ୟପଟେ ଗୁରୁତର ଆହତ ରାମଲିଙ୍ଗମ୍ ଓ ରାମର୍ଙ୍କୁ ମୁସିରି ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ସେମାନେ ସମବେଦନା ଜଣାଇଛନ୍ତି। ଏଥିସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ବିଜୟ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଜମ୍ବୁନାଥପୁରମ୍ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।




