ଟ୍ରାଭେଲର ଦୁର୍ଘଟଣାରେ ୮ମୃତ ୧୫ ରୁ ଉର୍ଦ୍ଧ୍ବ ଆହତ
ଜୟପୁର : ରାସ୍ତାରୁ ୨୦ଫୁଟ ତଳକୁ ଖସିଲା ଯାତ୍ରୀବାହୀ ଟ୍ରାଭେଲର । ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ରାଜସ୍ଥାନର କୋଟା ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଡ୍ରାଇଭରଙ୍କୁ ନିଦ ଲାଗିଯିବାରୁ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡର ଡେଇଁ ତଳକୁ ଖସି ପଡିଥିଲା ଯାତ୍ରୀବାହୀ ଟ୍ରାଭେଲର ।
ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭୋପାଳରୁ ଗୋଟିଏ ପରିବାରର ୨୩ଜଣ ସମ୍ପର୍କୀୟ ମିଶି ରାଜସ୍ଥାନ ସିକର ଜିଲ୍ଲାରେ ଥିବା ପ୍ରସିଦ୍ଧ 'ଖାଟୁ ଶ୍ୟାମ ଜୀ' ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ସେମାନେ ଆଜି ସକାଳେ ସ୍ଥାନୀୟ ଏକ ଟ୍ରାଭେଲର ବୁକ କରି ମନ୍ଦିର ଦର୍ଶନ ପାଇଁ ଯିବା ବେଳେ କୋଟା ଜିଲ୍ଲାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ୨୦ଫୁଟ ତଳେ ଥିବା ଏକ ଖାତକୁ ଖସି ପଡିଥିଲା । ତେବେ ଖାତଟି ପଙ୍କ କାଦୁଅରେ ଭର୍ତି ହୋଇଥିବାରୁ ଯାତ୍ରୀ ମାନେ ପୋତି ହୋଇଯାଇ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା କୁହାଯାଉଛି ।
ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଗାଡ଼ିକୁ ବାହାର କରିବା ସହ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୋଟାର ଏମବିଏସ ହସ୍ପିଟାଲ ଓ ନିୟୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।




