ବଡ଼ ରାଜନୈତିକ ପରିବର୍ତ୍ତନ ପରେ ୟୁପି ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ୮ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ

ବଡ଼ ରାଜନୈତିକ ପରିବର୍ତ୍ତନ ପରେ ୟୁପି ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ୮ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ
Samaya Live Desk Picture
Published On

ଲକ୍ଷ୍ନୌ : ଉତ୍ତରପ୍ରଦେଶରୁ ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନ ପାଇଁ ମଙ୍ଗଳବାର ଶେଷ ଦିନରେ ବିଜେପିର ୮ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏପଟେ ବିରୋଧୀ ସମାଜବାଦୀ ପାର୍ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାର ସଙ୍କେତ ଦେଇଛି। ଫଳରେ ଅକ୍ଟୋବର ୧୬ରେ ହେବାକୁ ଥିବା ନିର୍ବାଚନରେ ମତଦାନ ବିନା ସମସ୍ତ ପ୍ରାର୍ଥୀ ନିର୍ବାଚିତ ହେବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିର ସମସ୍ତ ୮ ଜଣ ପ୍ରାର୍ଥୀ ରିଟର୍ଣ୍ଣିଂ ଅଫିସର ଅଜିତ ବର୍ମାଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପିର ପ୍ରାର୍ଥୀ ଚୟନରେ ଦୁଇଜଣ ମହିଳାଙ୍କୁ ସାମିଲ କରାଯାଇଛି। ଏଥିସହ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ଜାତି ଓ ଅଞ୍ଚଳକୁ ପ୍ରତିନିଧିତ୍ୱ ଦିଆଯାଇଛି। ବିଜେପିର ୮ ପ୍ରାର୍ଥୀ ହେଉଛନ୍ତି ଧର୍ମପାଲ ସିଂହ, ପ୍ରକାଶ ପାଲ, ଶ୍ରୁତି ଗଙ୍ଗୱାର (ଓବିସି ସମ୍ପ୍ରଦାୟ), ବିଦ୍ୟା ସାଗର ସୋନକର, ପ୍ରିୟଙ୍କା ରାୱତ( ଦଳିତ ସମୁଦାୟର) , ରାଧାକାନ୍ତ ଓଝା, ଗୋପୀ କୃଷ୍ଣ ପାଣ୍ଡେ, ରାମ ପ୍ରତାପ ସିଂହ ଚୌହାନ। ନିର୍ବାଚନ ଅଧିକାରୀ ଅଜିତ ବର୍ମା କହିଛନ୍ତି ‘ସମସ୍ତ ପ୍ରାର୍ଥୀ ଦୁଇ ସେଟ୍‌ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରତ୍ୟେକ ସେଟ୍‌ରେ ପ୍ରସ୍ତାବକ ଭାବେ ୧୦ ଜଣ ବିଧାୟକଙ୍କ ସ୍ୱାକ୍ଷର ରହିଛି । ସମାଜବାଦୀ ପାର୍ଟିର ପୂର୍ବରୁ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେମାନେ ହେଲେ ବରିଷ୍ଠ ନେତା ରାମ ଗୋପାଳ ଯାଦବ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ଧନରାଜ ପାରିମଲ ନାଥୱାନୀ। ଏସ୍‌ପି ତୃତୀୟ ପ୍ରାର୍ଥୀ ଦେଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରିପାରେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ଦଳର ମୁଖ୍ୟ ଅଖିଳେଶ ଯାଦବ ଏକ୍ସରେ ଏକ ପୋଷ୍ଟ କରି ଏହି ଚର୍ଚ୍ଚାର ଅବସାନ ଘଟାଇଥିଲେ। ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳର ପ୍ରତିବାଦରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଯିବା ପୂର୍ବରୁ ଅଖିଳେଶ କହିଥିଲେ, ‘ଏବେ ଆମର ଧ୍ୟାନ ତିନି ଉପରେ ନୁହେଁ, ୪୦୩ ଉପରେ’। ଏଠାରେ ୪୦୩ ବୋଲି ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭାର ମୋଟ ୪୦୩ଟି ଆସନକୁ ସୂଚିତ କରିଛନ୍ତି। ଏସ୍‌ପିର ଏହି ନିଷ୍ପତ୍ତି ପରେ ବିଜେପି ତୁରନ୍ତ ପ୍ରତିକ୍ରିୟା ଦେଇଥିଲା। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଥିଲେ, ‘ସବୁକିଛି ସ୍ପଷ୍ଟ ହୋଇଯାଇଛି। ୨୦୨୭ ଉତ୍ତରପ୍ରଦେଶ ନିର୍ବାଚନରେ SP ପରାଜୟ ସ୍ୱୀକାର କରିନେଇଛି।

Tags: