ମଧ୍ୟପ୍ରଦେଶରେ ରକ୍ତ ନେବାପରେ ୬ ଶିଶୁ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସତନା ଜିଲ୍ଲାରେ କିଛି ହସ୍ପିଟାଲରେ ୬ ଜଣ ଶିଶୁ ରକ୍ତ ନେବାପରେ ଏଚ୍ଆଇଭି ପଚିଟିଭ୍ ଚିହ୍ନଟ ହୋଇଥିବାରୁ ମଧ୍ୟପ୍ରଦେଶ ସରକାର ୩ ଜଣ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ରାଜ୍ୟ ସରକାରୀ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ବାରା ଗଠନ ହୋଇଥିବା ଏକ କମିଟିର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା ଯେ ବ୍ଲଡ୍ ସ୍କ୍ରିନିଂ ଏବଂ ଏସଂକ୍ରାନ୍ତ ପ୍ରକ୍ରିୟାରେ ତ୍ରୁଟି ରହିଛି। ଏହାପରେ ୩ ଜଣ ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଯେଉଁମାନେ ନିଲମ୍ବିତ ହୋଇଛନ୍ତି ସେମାନେ ହେଉଛନ୍ତି ଜିଲ୍ଲା ହସ୍ପିଟାଲ ବ୍ଲଡ ବ୍ୟାଙ୍କ ଇନ ଚାର୍ଜ ଡାକ୍ତର ଦେବେନ୍ଦ୍ର ପଟେଲ ଏବଂ ଲାବ୍ରୋଟୋରି ଟେକନିସିଆନ ରାମ ଭଟି ତ୍ରିପାଠୀ ଏବଂ ନନ୍ଦଲାଲ ପାଣ୍ଡେ। ଏଥିସହ ସତନା ଜିଲ୍ଲା ପୂର୍ବତନ ସିଭିଲ୍ ସର୍ଜନ ଡାକ୍ତର ମନୋଜ ଶୁକ୍ଳାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଉଲ୍ଳେଖଯୋଗ୍ୟ, ୩ରୁ ୧୫ ବର୍ଷ ମଧ୍ୟରେ ୫ ଜଣ ଶିଶୁଙ୍କର ସତନା, ଜବଲପୁର ଏବଂ ଅନ୍ୟ ସ୍ଥାନରେ ଜିଲ୍ଲା ହସ୍ପିଟାଲଗୁଡ଼ିକରେ ରକ୍ତ ଲାଗିବାପରେ ସେମାନେ ଏଚଆଇଭି ପଜିଟିଭ୍ ଥିବା ଜଣାପଡ଼ିଥିଲା। ସ୍ବାସ୍ଥ୍ୟ ବିଭାଗ ରେକର୍ଡ ଦର୍ଶାଉଛି ଯେ ଚଳିତ ବର୍ଷ ଜାନୁଆରିରୁ ମେ’ ମଧ୍ୟରେ ଶିଶୁମାନଙ୍କଠାରେ ରକ୍ତ ଲାଗିବା ପରେ ସେମାନେ ସଂକ୍ରମଣର ଶିକାର ହୋଇଛନ୍ତି।




