ତେଲେଙ୍ଗାନାରେ ଲୁହା ରଡ୍‌ ବୋଝେଇ ଟ୍ରକ୍‌କୁ ପଛରୁ ପିଟିଲା ବସ୍‌; ୫ ମୃତ, ୨୦ ଆହତ

ତେଲେଙ୍ଗାନାରେ ଲୁହା ରଡ୍‌ ବୋଝେଇ ଟ୍ରକ୍‌କୁ ପଛରୁ ପିଟିଲା ବସ୍‌; ୫ ମୃତ, ୨୦ ଆହତ
Samaya Live Desk Picture
Published On
ନୂଆଦିଲ୍ଲୀ : ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍‌ ହାଇଦ୍ରାବାଦ–ବିଜୟୱାଡ଼ା ଜାତୀୟ ରାଜପଥରେ ଲୁହା ରଡ୍‌ ବୋଝେଇ ଏକ କଣ୍ଟେନର ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ସକାଳ ପ୍ରାୟ ୪ଟା ୩୦ ସମୟରେ ଘଟିଥିଲା। ଘରୋଇ ବସ୍‌ଟି ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ଏଲୁରୁ ଯାଉଥିଲା। ପୋଲିସର କହିବା ଅନୁସାରେ, ବସ୍‌ଟି ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କଣ୍ଟେନରରେ ଥିବା ଲୁହା ରଡ୍‌ଗୁଡ଼ିକ ବସ୍‌ ଭିତରକୁ ପଶିଯାଇଥିଲା। ଫଳରେ ଦୁର୍ଘଟଣାର ଭୟାବହତା ଆହୁରି ବଢ଼ିଯାଇଥିଲା। ଅନେକ ଯାତ୍ରୀ ବସ୍‌ ଭିତରେ ଫସିଯାଇ ସହାୟତା ପାଇଁ ଚିତ୍କାର କରୁଥିଲେ। ପୋଲିସ ଏକ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର ଅଭିଯାନ ଚଳାଇ ଆହତ ଏବଂ ବସ୍‌ ଭିତରେ ଫସିଥିବା ଯାତ୍ରୀମାନଙ୍କୁ ବାହାର କରିଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଦୁର୍ଘଟଣା ଯୋଗୁଁ ହାଇଦ୍ରାବାଦ–ବିଜୟୱାଡ଼ା ଜାତୀୟ ରାଜପଥରେ ବଡ଼ ଧରଣର ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହୋଇଥିଲା। ପ୍ରାଥମିକ ତଦନ୍ତ ଅନୁସାରେ, ବସ୍‌ ଧକ୍କା ଦେବା ପୂର୍ବରୁ ଟ୍ରକ୍‌ଟି ରାସ୍ତାର ଡିଭାଇଡରକୁ ଧକ୍କା ଦେଇଥିବା ସନ୍ଦେହ କରୁଛି ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଗୁଡ଼ିକ ପ୍ରତି ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ସରକାରୀ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।
Tags: