ଆସାମରେ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଆସାମରେ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍ ଲାଇନଚ୍ୟୁତ
Samaya Live Desk Picture
Published On

ଗୁଆହାଟୀ: ଆସାମରେ ବୁଧବାର ସକାଳେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। କୋଲକାତାରୁ ମିଜୋରାମ ଯାଉଥିବା କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍‌ର ଇଞ୍ଜିନ୍ ସହ ୫ଟି ବଗି ଲାଇନଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି। କେବଳ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ରେଳବାଇର ସୂଚନା ଅନୁଯାୟୀ, ସକାଳ ୬ଟା ୫୪ ମିନିଟ୍‌ରେ ଆସାମର ଦିଗାରୁ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଅନ୍ୟ ଏକ ଟ୍ରେନ୍‌କୁ ଯିବା ପାଇଁ ରାସ୍ତା ଦେବାକୁ ଉଦ୍ୟମ କରୁଥିବା ବେଳେ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଗତି ନିୟନ୍ତ୍ରଣ କରିପାରି ନଥିଲେ। ଫଳରେ ଇଞ୍ଜିନ୍ ସହ ୫ଟି ବଗି ଲାଇନଚ୍ୟୁତ ହୋଇଥିବା ରେଳବାଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଦୁର୍ଘଟଣା ଖବର ପାଇବା ମାତ୍ରେ ରେଳବାଇ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରେଳବାଇର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ। ଟ୍ରେନ୍‌ରେ ଥିବା ଯାତ୍ରୀମାନଙ୍କୁ ବିକଳ୍ପ ଟ୍ରେନ୍‌ ଯୋଗେ ନିଜ ଗନ୍ତବ୍ୟସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ହସ୍ପିଟାଲରୁ ଆସିଥିବା ଦୃଶ୍ୟରେ କିଛି ଯାତ୍ରୀ ସେମାନଙ୍କ ସାମାନ୍ୟ ଆଘାତ ସମ୍ପର୍କରେ କହୁଥିବା ଦେଖାଯାଇଛି। ଜଣେ ଯାତ୍ରୀଙ୍କ ହାତରେ ବ୍ୟାଣ୍ଡେଜ୍ ବନ୍ଧାଯାଇଥିବା ବେଳେ ଅନ୍ୟ ଜଣଙ୍କ ଜଙ୍ଘରେ ଲାଗିଥିବା ସାମାନ୍ୟ ଆଘାତର ଚିକିତ୍ସା କରାଯାଇଥିଲା। ଦୁର୍ଘଟଣାର କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ଅଧିକ ତଥ୍ୟ ମିଳିବାକୁ ଅପେକ୍ଷା ରହିଛି।

Tags: