ଉତ୍ତରପ୍ରଦେଶରେ ଭୟଙ୍କର ଦୁର୍ଘଟଣା: ସ୍କୁଲ ବସ୍କୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍, ୪ ଛାତ୍ରଛାତ୍ରୀ ମୃତ, ୩୨ ଆହତ
କନ୍ନୌଜ: ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାରେ ମଙ୍ଗଳବାର ସକାଳେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ରାସ୍ତାକଡ଼ରେ ଅଟକି ରହିଥିବା ଏକ ସ୍କୁଲ ବସ୍କୁ ପଛପଟୁ ଦ୍ରୁତଗତିରେ ଆସୁଥିବା ଟ୍ରକ୍ ଧକ୍କା ଦେବାରୁ ୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୩୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨୪ ଜଣ ଛାତ୍ରଛାତ୍ରୀ ଥିବାବେଳେ ୮ ଜଣ ସ୍କୁଲ କର୍ମଚାରୀ ରହିଛନ୍ତି। ପୁଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୬ଟା ସମୟରେ ଠଠିଆ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କୌଶାମ୍ବୀସ୍ଥିତ ଓରିଏଣ୍ଟାଲ୍ ପବ୍ଲିକ୍ ସ୍କୁଲର ବସ୍ଟି ଛାତ୍ରଛାତ୍ରୀଙ୍କୁ ନେଇ ଆଗ୍ରାର ତାଜମହଲ ବୁଲିବାକୁ ଯାଇଥିଲା। ସେଠାରୁ ଫେରିବା ସମୟରେ ପିଲାମାନଙ୍କୁ ଶୌଚ ହେବା ପାଇଁ ବସ୍ଟି ଏକ୍ସପ୍ରେସ୍ୱେର ରାସ୍ତାକଡ଼ରେ ଅଟକିଥିଲା। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବସ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ର ପଛଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଏଥିସହ ବସ୍ ଭିତରେ ଥିବା ଅନେକ ପିଲା ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟରେ ପୁଲିସ ଓ ସ୍ଥାନୀୟ ଲୋକ। ଦୁର୍ଘଟଣା ଖବର ପାଇବା ପରେ ପୁଲିସ, ଉତ୍ତରପ୍ରଦେଶ ଏକ୍ସପ୍ରେସ୍ୱେ ଶିଳ୍ପ ବିକାଶ ପ୍ରାଧିକରଣ କର୍ମଚାରୀ ଏବଂ ରାସ୍ତାରେ ଯାଉଥିବା ଅନ୍ୟ ଯାତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତେ ମିଶି ବସ୍ ଭିତରେ ଫସିଥିବା ପିଲାମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ତିରୱା ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ଡାକ୍ତର ୪ ଜଣ ପିଲାଙ୍କୁ ମୃତ ଘୋଷଣା କରିଥିଲେ।
କନ୍ନୌଜ ଜିଲ୍ଲା ପୁଲିସ ଅଧୀକ୍ଷକ ବିନୋଦ କୁମାରଙ୍କ କହିବା ଅନୁଯାୟୀ, ବସ୍ରେ ମୋଟ ୫୦ ଜଣ ଯାତ୍ରା କରୁଥିଲେ। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍କୁଲର ଜଣେ ଅଧିକାରୀ ଏବଂ ଜଣେ ଛାତ୍ରଙ୍କୁ ଉନ୍ନତ ଚିକିତ୍ସା ପାଇଁ କାନପୁର ପଠାଯାଉଥିବା ସୂଚନା ମିଳିଛି। ଅନ୍ୟ ଆହତ ପିଲାମାନଙ୍କର ତିରୱା ମେଡିକାଲ କଲେଜରେ ଚିକିତ୍ସା ଚାଲିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Tags:




