ତେଲେଙ୍ଗାନାରେ ୩୦୦ କୁକୁରଙ୍କୁ ହତ୍ୟା
ତେଲେଙ୍ଗାନା : ମରିଗଲାଣି ମାନବିକତା। ନିର୍ବାଚନ ପ୍ରତିଶୃତି ରକ୍ଷା କରିବାକୁ ଯାଇ ନିରୀହ ପଶୁଙ୍କୁ ହତ୍ୟା । ତେଲେଙ୍ଗାନା ଜଗତିଆଲ ଜିଲ୍ଲାରେ ପୁଣି ୩ଶହ କୁକୁରଙ୍କୁ ହତ୍ୟା । ପେଗଡାପାଲିରେ ଏକ ଗାତରୁ ୩ ଶହ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୁକୁରଙ୍କୁ ବିଷାକ୍ତ ଇଞ୍ଜେକସନ୍ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମାସକରେ ତେଲେଙ୍ଗାନାରେ ୯ଶହ କୁକୁରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ତେଲେଙ୍ଗାନା ଜଗତିଆଲ ଜିଲ୍ଲା ଗାଁ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସମ୍ପାଦକଙ୍କ ନିର୍ଦ୍ଦେଶରେ ଏହି ବର୍ବର କାଣ୍ଡ କରାଯାଇଥିବା ଅଭିଯୋଗ କରିଛନ୍ତି ପଶୁ ଅଧିକାର କର୍ମୀ। ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି ।
ପଶୁ ଅଧିକାର କର୍ମୀଙ୍କ ସୂଚନାନୁସାରେ, ସ୍ଥାନୀୟ ଲୋକମାନେ ତାଙ୍କୁ କହିଥିଲେ ଯେ ଦୁଇ ଅଜଣା ମହିଳା କୁକୁରମାନଙ୍କୁ ଗାତରେ ଫିଙ୍ଗି ଦେବା ପୂର୍ବରୁ ପ୍ରାଣଘାତି ଇଞ୍ଜେକ୍ସନ ଦେଇ ଗାତରେ ପୋତି ଦେଇଥିଲେ । ତେବେ ସରପଞ୍ଚ ନିର୍ବାଚନ ପରେ କୁକୁର ହତ୍ୟାର ରିପୋର୍ଟ ପ୍ରକାଶ ପାଇଲା । ନିର୍ବାଚନ ସମୟରେ ପ୍ରାର୍ଥୀମାନେ ରାସ୍ତାରେ ଅତ୍ୟଧିକ ବୁଲା କୁକୁର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟପଟେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୨୫ ୩ (୫) ଏବଂ ପଶୁମାନଙ୍କ ପ୍ରତି ନିଷ୍ଠୁରତା ନିବାରଣ (PCA) ଆଇନ, ୧୯୬୦ ର ଧାରା ୧୧ (୧)(a) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଘଟଣା ଦେଶରେ ପଶୁପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଲଗାତାର କିଛି ସପ୍ତାହ ମଧ୍ୟରେ କୁକୁରଙ୍କୁ ସାମୂହିକ ହତ୍ୟା କରାଯାଉଥିବା ରିପୋର୍ଟ ହୋଇଛି । କାମାରେଡ୍ଡୀ , ହୁନାକୋଣ୍ଡା ଏବଂ ରଙ୍ଗାରେଡ୍ଡୀ ଜିଲ୍ଲାରେ କୁକୁରଙ୍କ ମାସ୍ କିଲିଂ କରାଯାଇଛି । ଗୋଟିଏ ସପ୍ତାହ ମଧ୍ୟରେ ପ୍ରଥମେ ୫୦୦ କୁକୁରଙ୍କୁ ମରାଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ପୁଣି ୩୦୦ କୁକୁରଙ୍କୁ ହତ୍ୟା କରାଯାଇଥିଲା । ଏହିପରି ଭାବେ ମାସକ ମଧ୍ୟରେ ମୋଟ ୯୦୦ କୁକୁରଙ୍କ ଜୀବନ ନିଆଯାଇଛି ।



