ପୁଣି ଜଳିଲା ମଣିପୁର: ୩୦ରୁ ଅଧିକ ଘରେ ନିଆଁ ଲଗାଇଦେଲେ
କର୍ଫ୍ୟୁ ଜାରି
By: Samaya Live Desk
ଇମ୍ଫାଲ: ମଣିପୁରରେ ପୁଣି ହିଂସା ଉପୁଜିଛି। ମଙ୍ଗଳବାର ପ୍ରତ୍ୟୁଷରେ ମଣିପୁରର ଉଖରୁଲ ଜିଲ୍ଲାର ଲିଟାନ ଗାଁରେ ଗୁଳିକାଣ୍ଡ ହୋଇଛି। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି। ରିପୋର୍ଟ ଅନୁଯାୟୀ, ରାତି ଓ ଭୋର ସମୟରେ ଅନେକ ଘରେ ନିଆଁ ଲଗାଇ ଦିଆଯାଇଥିଲା। ୩୦ରୁ ଅଧିକ ଘରେ ନିଆଁ ଲଗାଇ ଦିଆଯାଇଛି। ଉତ୍ତେଜନା ବୃଦ୍ଧି ପାଇବାରୁ କୁକି ଓ ଟାଙ୍ଗଖୁଲ ସମ୍ପ୍ରଦାୟର ଲୋକମାନେ ନିଜ ନିଜ ଭିଟାମାଟି ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲିଟାନ ଓ ଏହାର ଆଖପାଖରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। କିନ୍ତୁ ପରିସ୍ଥିତି ଅସ୍ଥିର ରହିଥିବାରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଗାଁରେ ସ୍ଥିତି ଖରାପ ହେବା ପରେ, ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ସେନା ଏବଂ ପୁଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଏହା ସତ୍ତ୍ୱେ ଗୁଳିକାଣ୍ଡ ଘଟଣା ଘଟୁଛି। ପ୍ରଶାସନ କହିଛି , ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି।। ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଚାଲିଛି।
ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ ଶାନ୍ତି ପାଇଁ ଅପିଲ୍ କରିଛନ୍ତି। ଉଭୟ ସମ୍ପ୍ରଦାୟକୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ବଢ଼ୁଥିବା ହିଂସାର ପ୍ରତିକ୍ରିୟାରେ, ପ୍ରଶାସନ ଏକ ଜରୁରୀକାଳୀନ ବୈଠକ ଡକାଇଥିଲା ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ଲୋସି ଦିଖୋ, ବିଧାୟକ ରାମ ମୁଇଭା ଏବଂ କିମନେଓ ହାଓକିପଙ୍କ ସହିତ ଅନେକ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ହିଂସା ବନ୍ଦ କରିବା ଏବଂ ସମାଧାନ ଖୋଜିବାର ଉପାୟ ବିଷୟରେ ଆଲୋଚନା କରାଯାଇଥିଲା, କିନ୍ତୁ କୌଣସି ଠୋସ୍ ଫଳାଫଳ ବାହାରି ପାରିନି।
ସମ୍ବନ୍ଧିତ ଖବର ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୱାଇ ଖେମଚାନ୍ଦ ସିଂହ
Tags:



