ହର୍ମୁଜରେ ୨୪ ଘଣ୍ଟାରେ ୩ ଜାହାଜ ଉପରେ ଆକ୍ରମଣ

ହର୍ମୁଜରେ ୨୪ ଘଣ୍ଟାରେ ୩ ଜାହାଜ ଉପରେ ଆକ୍ରମଣ
Samaya Live Desk Picture
Published On

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଅନ୍ତରୀଣ ଶାନ୍ତି ରାଜିନାମା ସ୍ବାକ୍ଷର ହୋଇଥିଲେ ସୁଦ୍ଧା ହର୍ମୁଜ ପ୍ରଣାଳୀରେ ପୁଣି ଆକ୍ରମଣ ଆରମ୍ଭ ହୋଇଛି। ହର୍ମୁଜ ପ୍ରଣାଳୀରେ ୨୪ ଘଣ୍ଟା ମଧ୍ୟରେ ୩ଟି ଜାହାଜ ଉପରେ ଆକ୍ରମଣ ଘଟଣା ଚିନ୍ତା ବଢ଼ାଇ ଦେଇଛି। ପାରସ୍ୟ ଉପସାଗରର ଏହି ସଂକୀର୍ଣ୍ଣ ଜଳପଥରେ ସୋମବାର ରାତିରେ ଗୋଟିଏ ଜାହାଜ ଉପରେ ଆକ୍ରମଣ ହୋଇଥିବାବେଳେ ଏହାପରେ ଆଜି ସକାଳେ ପୁଣି ୨ଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଛି ବୋଲିି ବ୍ରିଟେନ ସାମୁଦ୍ରିକ ସଂସ୍ଥା କହିଛି। ଏହି ବିବାଦୀୟ ଅଞ୍ଚଳରେ ଜାହାଜ ଚଳାଚଳ ଯାଞ୍ଚ କରୁଥିବା ‘ୟୁକେ ମାରିଟାଇମ୍‌ ଟ୍ରେଡ୍‌ ଅପରେସନ୍ସ’ ( ୟୁକେଏମ୍‌ଟିଓ) ଅନୁଯାୟୀ ମଙ୍ଗଳବାର ଏକ ଜାହାଜ ଉପରେ ଅଜଣା କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏଥିଯୋଗୁ କେହି ମୃତାହତ ହୋଇନଥିଲେ ମଧ୍ୟ ଏହାଦ୍ବାରା ହର୍ମୁଜ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ପୁଣି ଟାର୍ଗେଟ୍‌ର ଶିକାର ହୋଇଛନ୍ତି ବୋଲି ଭୟ ସୃଷ୍ଟି ହୋଇଛି। ୟୁକେଏମ୍‌ଟିଓ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛି ଯେ ‌କ୍ଷେପଣାସ୍ତ୍ର ମାଡ଼ ହେବା ଦ୍ବାରା ଜାହାଜରେ କ୍ଷୟକ୍ଷତି ହୋଇଛି ଏବଂ ଆଉ କେତେକ ଜାହାଜ ସୁରକ୍ଷା ଦୃଷ୍ଟିରୁ ଆଗକୁ ଅଗ୍ରସର ହୋଇପାରୁ ନାହାନ୍ତି। ଉଲ୍ଲେଖଯୋଗ୍ୟ, କତରର ଏକ ଏଲ୍‌ଏନ୍‌ଜି ଜାହାଜ ଉପରେ ଇରାନ ଆକ୍ରମଣ କରିଛି ବୋଲି କତର ଅଭିଯୋଗ କରିବାପରେ ବ୍ରିଟେନ୍‌ ସାମୁଦ୍ରିକ ସଂସ୍ଥା ଏହି ଦାବି କରିଛି। ଆକ୍ରମଣ ହୋଇଥିବା ୩ ଜାହାଜ ମଧ୍ୟରୁ ଗୋଟିଏ ଓମାନକୁ ଯାଉଥିବାବେଳେ ଆକ୍ରମଣ ପରେ ଏହାର ଇଞ୍ଜିନ ରୁମ୍‌ରେ ନିଆଁ ଲାଗି ଯାଇଥିଲା। କତର ଜାହାଜ ସହ ସାଉଦି ପତାକା ଥିବା ଏକ ଅଶୋଧିତ ତୈଳ ଜାହାଜ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ହର୍ମୁଜ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଦାବି କରୁଥିବା ଇରାନ ଟିକସ ସଂଗ୍ରହ ଦାବିରେ ଅଟଳ ରହିଥିବା ବେଳେ ଆମେରିକା ଉପରେ ଚାପ ସୃଷ୍ଟି ପାଇଁ ଏଭଳି ଆକ୍ରମଣ କରିଥିବା କୁହାଯାଉଛି। ଅନ୍ୟପକ୍ଷେ ଆକ୍ରମଣର ଶିକାର ହୋଇଥିବା ୩ ଜାହାଜ ମଧ୍ୟରୁ ଗୋଟିଏ ଭାରତ ଆସୁଥିବା କୁହାଯାଇଛି।

Tags: