ପଞ୍ଜାବରେ ଭୟଙ୍କର ବସ୍‌ ଦୁର୍ଘଟଣା: ଫ୍ଲାଏଓଭର କାନ୍ଥରେ ପିଟିହେଲା ବସ୍‌, ୩ ମୃତ, ୨୪ ଆହତ

ପଞ୍ଜାବରେ ଭୟଙ୍କର ବସ୍‌ ଦୁର୍ଘଟଣା: ଫ୍ଲାଏଓଭର କାନ୍ଥରେ ପିଟିହେଲା ବସ୍‌, ୩ ମୃତ, ୨୪ ଆହତ
Samaya Live Desk Picture
Published On
ସଙ୍ଗରୁର: ପଞ୍ଜାବରେ ଆଜି ଭୋର୍‌ ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କୁ ନେଇ ଚଣ୍ଡୀଗଡ଼ ଯାଉଥିବା ପଞ୍ଜାବ ରୋଡ୍‌ୱେଜ୍‌ର ଏକ ସରକାରୀ ବସ୍‌ ଫ୍ଲାଏଓଭର କାନ୍ଥରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୨୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଟିଆଲା ପଠାଯାଇଛି। ପୁଲିସ ସୂଚନା ଅନୁଯାୟୀ, ବୁଧବାର ଭୋର୍‌ ପ୍ରାୟ ୪ଟା ୩୦ ମିନିଟ୍‌ରେ ସଙ୍ଗରୁର ଜିଲ୍ଲାର ଧୁରୀରୁ ଚଣ୍ଡୀଗଡ଼ ଅଭିମୁଖେ ଯାଉଥିବା ପେପ୍ସୁ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ (ପିଆର୍‌ଟିସି)ର ଏହି ବସ୍‌ଟି ଏକ ଫ୍ଲାଏଓଭରର କାନ୍ଥରେ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍‌ଦାର ଥିଲା ଯେ ବସ୍‌ଟି ପୂରା ଚୁର୍‌ମାର୍‌ ‌ହୋଇଯାଇଛି ଏବଂ ଅନେକ ଯାତ୍ରୀ ଭିତରେ ଫସି ରହିଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ବାସିନ୍ଦା ଓ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସିଭିଲ୍‌ ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁସାରେ, ପ୍ରଥମେ ୨୧ ଜଣ ଆହତଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପଟିଆଲାର ରାଜିନ୍ଦ୍ର ହସ୍ପିଟାଲକୁ ପଠାଯାଇଛି। ଅନ୍ୟ ଆହତମାନେ ସଙ୍ଗରୁରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ସ୍କାନ୍‌ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଉଛି। ଦୁର୍ଘଟଣା ସମୟରେ ପାଗ ଭଲ ଥିଲା ଏବଂ କୁହୁଡ଼ି ନଥିଲା ବୋଲି ପୁଲିସ କହିଛି। ପ୍ରାଥମିକ ତଦନ୍ତ ଓ ଯାତ୍ରୀଙ୍କ ବୟାନରୁ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ଏବଂ ଚାଳକ ନିୟନ୍ତ୍ରଣ ହରାଇଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଚାଲିଛି। ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଏହି ଦୁର୍ଘଟଣାରେ ଜୀବନହାନି ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଓ ମାଗଣା ଚିକିତ୍ସା ଯୋଗାଇଦେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଜଣ ଆହତଙ୍କ ମଧ୍ୟରୁ ୧୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଟିଆଲା ପଠାଯାଇଥିବା ସେ ସୋସିଆଲ୍‌ ମିଡିଆରେ ଉଲ୍ଲେଖ କରିଛନ୍ତି। ମୃତକଙ୍କ ପରିବାରକୁ ଏହି ଦୁଃଖ ସହିବାର ଶକ୍ତି ମିଳୁ ଏବଂ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସେ କାମନା କରିଛନ୍ତି।
Tags: