ପଞ୍ଜାବ ରାଜପଥରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍, ୩ ଜଣଙ୍କ ମୃତ୍ୟୁ
ଅମୃତସର, ୧୦/୮ : ପଞ୍ଜାବର ଫତେହଗଡ଼ ସାହିବ ଜିଲ୍ଲାର ସିରହିନ୍ଦ ରାଜପଥରେ ୩ ଜଣ କାଉଡ଼ିଆଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ କାର୍ ୪ ଜଣ କାଉଡ଼ିଆଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସାଥୀ ଭକ୍ତମାନେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ପ୍ରତିବାଦ କରିଛନ୍ତି। ପୁଲିସ ଅନୁଯାୟୀ ରାତି ପ୍ରାୟ ୨ଟା ସମୟରେ ସିରହିନ୍ଦ-ମଣ୍ଡି ଗୋବିନ୍ଦଗଡ଼ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ସମସ୍ତେ ପଞ୍ଜାବର ଫରିଦକୋଟ ଜିଲ୍ଲା କୋଟକପୁରା ଅଞ୍ଚଳର ବାସିନ୍ଦା । ସେମାନେ ବାର୍ଷିକ କାଉଡ଼ିଆ ଯାତ୍ରାର ଅଂଶ ଭାବେ ଶିବଙ୍କ ଉପରେ ଜଳଲାଗି ପାଇଁ ଗଙ୍ଗୋତ୍ରୀ ଧାମରୁ ପବିତ୍ର ଗଙ୍ଗାଜଳ ସଂଗ୍ରହ କରି ଯାତ୍ରା କରୁଥିଲେ। ମୃତକମାନଙ୍କୁ ଦୀପକ କୁମାର, ମହିନ୍ଦର ପାଲ ଏବଂ ଜଗଦୀଶ ମିତ୍ତଲ ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ଜଣେ କାଉଡ଼ିଆ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଜଗସୀର ସିଂହ କହିଛନ୍ତି ଯେ ସେ ଏବଂ ଅନ୍ୟ ଜଣେ ଭକ୍ତ ୪ ଜଣ ପୀଡ଼ିତଙ୍କ ପଛରେ ଚାଲୁଥିଲେ। ସେହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ତାଙ୍କ ଅଭିଯୋଗ ଅନୁସାରେ, ଚାଳକ ଗାଡ଼ି ଅଟକାଇବା ପରିବର୍ତ୍ତେ ଆହତମାନଙ୍କ ଉପରେ ଗାଡ଼ି ମଡ଼ାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଧକ୍କା ପରେ ସାଥୀ ଭକ୍ତମାନେ ଅନ୍ଧାର ମଧ୍ୟରେ ପୀଡ଼ିତମାନଙ୍କୁ ଖୋଜିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ରାସ୍ତାକଡ଼ରୁ ମିଳିଥିଲା। ଦୀପକ କୁମାରଙ୍କୁ ପ୍ରାୟ ୧୫ ମିନିଟ୍ ପରେ ଏକ ସ୍ଲିପ୍ ରୋଡ୍ ନିକଟରେ ଥିବା ହାଇୱେ ରେଲିଂ ତଳୁ ମିଳିଥିଲା। ସେତେବେଳକୁ ୩ ଜଣ ଆହତଙ୍କ ମୃତ୍ୟୁ ହୋଇସାରିଥିଲା। ପୁଲିସ କହିଛି ଯେ ଧକ୍କା ଲାଗିବା ସମୟରେ କାର୍ର ନମ୍ବର ପ୍ଲେଟ୍ ଭାଙ୍ଗି ଯାଇ ଘଟଣାସ୍ଥଳରେ ପଡ଼ିଥିଲା। ପୁଲିସ ଏହି ନମ୍ବର ପ୍ଲେଟ୍କୁ ଜବତ କରି ଗାଡ଼ି ଓ ଚାଳକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।




