ଲୁଧିଆନାରେ ଟ୍ରକ୍କୁ ପିଟିଲା ପିକ୍ଅପ୍, ୩ ମୃତ, ୨୭ ଆହତ
ଲୁଧିଆନା: ମା’ଙ୍କ ଦର୍ଶନ କରି ହସଖୁସିରେ ଘରକୁ ଫେରୁଥିଲେ ଶ୍ରଦ୍ଧାଳୁ। ହେଲେ ଘରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଛକିଥିଲା ମୃତ୍ୟୁ। ଦ୍ରୁତଗତିରେ ଯାଉଥିବା ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟିପର୍ ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ୩ ଜଣଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ନାବାଳକ ଥିବାବେଳେ ଅନ୍ୟ ୨୭ ଜଣ ଆହତ ହୋଇଛନ୍ତି। ପଞ୍ଜାବର ଲୁଧିଆନା ଜିଲ୍ଲା ମାଛିୱାଡ଼ା ଅଞ୍ଚଳର ପାୱତ ବ୍ରିଜ୍ ନିକଟରେ ମଙ୍ଗଳବାର ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ମାଛିୱାଡ଼ାର ଏକ ପ୍ରବାସୀ ବସ୍ତିରେ ରହୁଥିବା ପ୍ରାୟ ୩୦ ଜଣ ଶ୍ରଦ୍ଧାଳୁ ସୋମବାର ହିମାଚଳ ପ୍ରଦେଶର ମାତା ନୈନାଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ମହିନ୍ଦ୍ରା ପିକ୍ଅପ୍ ଗାଡ଼ିରେ ଘରକୁ ଫେରୁଥିବାବେଳେ ପାୱତ ବ୍ରିଜ୍ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟିପର୍ ଟ୍ରକ୍ ପଛରେ ଗାଡ଼ିଟି ଜୋର୍ରେ ପିଟି ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ପିକ୍ଅପ୍ର ସମ୍ମୁଖ ଭାଗ ଟ୍ରକ୍ ତଳେ ଚାପି ହୋଇଯାଇଥିଲା। ଏଥିରେ ଗୌରବ (୧୭), ଜଣେ ୧୪ ବର୍ଷୀୟ ନାବାଳକ ଏବଂ ୩୬ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଦୁଇ ନାବାଳକଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଫସି ରହିଥିବା ଆହତଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ମାଛିୱାଡ଼ା ଓ ଆଖପାଖ ଅଞ୍ଚଳର ଡାକ୍ତରଖାନାକୁ ପଠାଯାଇଥିଲା। କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।




