ମୁହଁରେ ଫୁଟିଲା ‘ପପ୍‌-ପପ୍‌’ ବାଣ, ଚାଲିଗଲା ୨ ବର୍ଷର ଶିଶୁର ଜୀବନ

ମୁହଁରେ ଫୁଟିଲା ‘ପପ୍‌-ପପ୍‌’ ବାଣ, ଚାଲିଗଲା ୨ ବର୍ଷର ଶିଶୁର ଜୀବନ
Samaya Live Desk Picture
Published On

ରାୟପୁର: ଖେଳୁ ଖେଳୁ ମୃତ୍ୟୁର ଶିକାର ହେଲା ଦୁଇ ବର୍ଷର ନିଷ୍ପାପ ଶିଶୁ। ପାଟିରେ ବାଣ ପୂରାଇବା ପରେ ତାହା ଫୁଟିଯିବାରୁ ଶିଶୁଟିର ଜୀବନ ଚାଲିଯାଇଛି। ଛତିଶଗଡ଼ର ସରଗୁଜା ଜିଲ୍ଲାରେ ଘଟିଛି ଏଭଳି ଦୁଃଖଦ ଘଟଣା। ମୃତ ଶିଶୁର ନାମ ଆଦିତ୍ୟ। ପୁଲିସ ସୂଚନା ଅନୁଯାୟୀ, ନଭେମ୍ବର ୯ ତାରିଖ ସକାଳେ ସୀତାପୁର ଥାନା ଅଧୀନ ନବାପାରା ଗାଁରେ ଏହି ଅଘଟଣ ଘଟିଥିଲା। ଆଦିତ୍ୟ ଗାଁର ଅନ୍ୟ ପିଲାମାନଙ୍କ ସହ ଖେଳୁଥିଲା। ସେହି ସମୟରେ ପିଲାମାନେ ରସୁଣ ଆକୃତିର ପପ୍‌-ପପ୍‌ ବାଣ ଫୁଟାଉଥିଲେ। ଏହି ବାଣକୁ ଭୂମିରେ ଫୋପାଡ଼ିଲେ ଘର୍ଷଣ ବା ଚାପ ଯୋଗୁଁ ତାହା ଫୁଟିଥାଏ। ଆଦିତ୍ୟ ତଳେ ପଡ଼ିଥିବା ଏକ ଛୋଟ ପ୍ୟାକେଟ୍‌ ଉଠାଇ ପାଟିରେ ପୂରାଇ ଦେଇଥିଲା। ଫଳରେ ତାହା ପାଟି ଭିତରେ ଫୁଟିଯାଇଥିଲା। ଏଥିରେ ତା’ର ମାଢ଼ିରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ଅନ୍ୟ ପିଲାମାନଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତାକୁ ସୀତାପୁରସ୍ଥିତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ରକ୍ତସ୍ରାବ ବନ୍ଦ ହେବା ପରେ ତାକୁ ଘରକୁ ଫେରାଇ ଆଣିଥିଲେ। କିନ୍ତୁ ପରଦିନ ପୁଣି ରକ୍ତସ୍ରାବ ଆରମ୍ଭ ହେବାରୁ ତାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ନଭେମ୍ବର ୧୧ ତାରିଖ ଅପରାହ୍ଣରେ ଅମ୍ବିକାପୁରସ୍ଥିତ ଏକ ମିଶନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେହିଦିନ ରାତିରେ ଆଦିତ୍ୟର ମୃତ୍ୟୁ ହୋଇଥିଲା ଶିଶୁର ବାପା ଇନ୍ଦ୍ରଜିତ ମାଞ୍ଝିଙ୍କ କହିବା ଅନୁଯାୟୀ, ପୋଷ୍ଟମର୍ଟମ୍‌ ସମୟରେ ଡାକ୍ତରମାନେ ଶିଶୁର ଗଳା ଭିତରେ ବାଣର କିଛି ଅଂଶ ଥିବା ମଧ୍ୟ ଦେଖିଥିଲେ। ଏହି ଘଟଣାକୁ ନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Tags: