ଅଶୋଭନୀୟ ଆଚରଣ ପାଇଁ ୨ ଯାତ୍ରୀଙ୍କୁ ଥାଇଲାଣ୍ଡ ଯାଉଥିବା ବିମାନରୁ ଓହ୍ଲାଇ ଦେଲା ଇଣ୍ଡିଗୋ
ମୁମ୍ବାଇ: ମୁମ୍ବାଇରୁ ଥାଇଲାଣ୍ଡ ଯାଉଥିବା ଇଣ୍ଡିଗୋ ବିମାନରେ ଅଶୋଭନୀୟ ଆଚରଣ ଦେଖାଇଥିବା ୨ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଛି ଏୟାରଲାଇନ୍ସ। ବୁଧବାର ଥାଇଲାଣ୍ଡର କ୍ରାବି ଯାଉଥିବା ବିମାନ ବିଭିନ୍ନ କାରଣରୁ ୯ ଘଣ୍ଟା ବିଳମ୍ବ ହୋଇଥିଲା। ଅପେକ୍ଷାରତ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ବିଳମ୍ବକୁ ନେଇ ଅତିଷ୍ଠ ହୋଇ କ୍ୟାବିନ୍ କ୍ରୁଙ୍କୁ ଗାଳିଗୁଲଜ କରୁଥିବାର ଦୃଶ୍ୟ ‘ଏକ୍ସ’ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଏୟାରଲାଇନ୍ସ ସେମାନଙ୍କୁ ବିଳମ୍ବ ହେବା ନେଇ କୌଣସି ସୂଚନା ଦେଇନଥିବା ଯାତ୍ରୀ ଅଭିଯୋଗ କରିଥିଲେ। ପାଇଲଟ କକ୍ପିଟରୁ ଆସି ସେମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ଦୁଇ ଯାତ୍ରୀଦାବି କରିଥିଲେ। ମୁମ୍ବାଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ପ୍ରଥମେ ବିମାନ ଆସିବାରେ ବିଳମ୍ବ ହୋଇଥିଲା। ବିମାନ ପଶ୍ଚିମ ଏସିଆରୁ ଆସୁଥିବାବେଳେ ବିଳମ୍ବ ହୋଇଯାଇଥିଲା। ବିମାନ ଆସିବା ପରେ କ୍ରୁ ସଦସ୍ୟଙ୍କ ଉଡ଼ାଣ ସମୟ ଶେଷ ହୋଇଯାଇଥିଲା। ଫଳରେ ଆହୁରି ଅଧିକ ବିଳମ୍ବ ହୋଇଥିଲା। ବିମାନ ସକାଳ ୪ଟା ୫ ମିନିଟରେ ଯିବାକୁ ଥିବାବେଳେ ବିଳମ୍ବ ଯୋଗୁ ଦିନ ୧ ଟା ବେଳେ ଉଡ଼ାଣ ଭରିଥିଲା। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବିଳମ୍ବର ଅନେକ କାରଣ ଦର୍ଶାଯାଇଥିବାବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଯାତ୍ରୀଙ୍କୁ ଓହ୍ଲାଇ ଦିଆଯିବା ସହିତ ସୁରକ୍ଷାସଂସ୍ଥାକୁ ହସ୍ତାନ୍ତର କରାଯାଇଥିବା ନେଇ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।



