ଜେଲ୍ରେ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରେ ପ୍ରେମ, ଲିଭ୍ ଇନ୍ , ବିବାହ ପାଇଁ ଅନୁମତି ଦେଲେ ହାଇକୋର୍ଟ
ଅଲୱାର: ରାଜସ୍ଥାନରେ ଦୁଇ ଆଜୀବନ କାରାଦଣ୍ଡ ପାଇଥିବା କଏଦୀ ପ୍ରିୟା ସେଠ୍ ଓ ହନୁମାନ ପ୍ରସାଦ ଜେଲ୍ ଭିତରେ ପ୍ରେମରେ ପଡ଼ିଛନ୍ତି ଏବଂ ବିବାହ କରିଛନ୍ତି। ରାଜସ୍ଥାନ ହାଇକୋର୍ଟ ସେମାନଙ୍କୁ ଏହି ବିବାହ ପାଇଁ ୧୫ ଦିନିଆ ଜରୁରୀ ପାରୋଲ୍ ପ୍ରଦାନ କରିଛନ୍ତି। ପ୍ରିୟା (୩୧) ୨୦୧୮ରେ ଜୟପୁରରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା ଭୋଗୁଛି। ସେ ଡେଟିଙ୍ଗ୍ ଆପ୍ ମାଧ୍ୟମରେ ଦୁଷ୍ୟନ୍ତ ଶର୍ମାଙ୍କୁ ପ୍ରଲୋଭିତ କରି ହତ୍ୟା କରିଥିଲା ଏବଂ ତାଙ୍କ ଶବକୁ ସୁଟକେସ୍ରେ ଲୁଚାଇ ଦେଇଥିଲା। ହନୁମାନ ପ୍ରସାଦ (୨୯) ୨୦୧୭ର ବହୁଚର୍ଚ୍ଚିତ ଅଲୱର ହତ୍ୟା ମାମଲାରେ ଦୋଷୀ। ସେ ତା’ ପ୍ରେମିକା ସହ ମିଶି ପ୍ରେମିକାର ସ୍ବାମୀ, ତିନି ପୁଅ ଓ ଭଣଜାଙ୍କୁ ବର୍ବର ଭାବେ ହତ୍ୟା କରିଥିଲା। ଏହି ଦୁଇ ଅପରାଧୀ ଏବେ ଜୟପୁରର ସଙ୍ଗାନେର ମୁକ୍ତାକାଶ ଜେଲ୍କୁ ସ୍ଥାନାନ୍ତରିତ ହୋଇଛନ୍ତି। ଏହି ଜେଲ୍ ରାଜସ୍ଥାନ ‘ପ୍ରିଜନର୍ସ ଓପନ୍ ଏୟାର କ୍ୟାମ୍ପ ନିୟମ, ୧୯୭୨’ ଅନୁଯାୟୀ ଚାଲୁଛି, ଯେଉଁଠାରେ ନିର୍ଦ୍ଦିଷ୍ଟ ବନ୍ଦୀମାନେ ଦିନରେ ବାହାରେ କାମ କରି ରାତିରେ ଫେରନ୍ତି। ଗତ ବର୍ଷ ସେମାନେ ଏହି ଅପେକ୍ଷାକୃତ ଖୋଲା ପରିବେଶରେ ଘନିଷ୍ଠ ହୋଇଥିଲେ ଏବଂ ପ୍ରେମରେ ପଡ଼ିଥିଲେ। ରିପୋର୍ଟ ଅନୁଯାୟୀ ସେମାନେ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲେ ଏବଂ ବିବାହ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ଜରୁରୀ ପାରୋଲ୍ ଆବେଦନ ପ୍ରଥମେ ବିଚାରାଧୀନ ଥିଲା, କିନ୍ତୁ ଜାନୁଆରି ୭ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଜିଲ୍ଲା ପାରୋଲ୍ ଉପଦେଷ୍ଟା କମିଟି ୭ ଦିନ ଭିତରେ ନିଷ୍ପତ୍ତି ନେବ। ଏହାପରେ କମିଟି ଉଭୟଙ୍କୁ ୧୫ ଦିନିଆ ପାରୋଲ୍ ମଞ୍ଜୁର କରିଥିଲେ। ବିବାହ ହନୁମାନର ଗ୍ରାମ ବାରୋଦାମିଓ (ଅଲୱାର)ରେ ଅନୁଷ୍ଠିତ ହୋଇଛି।




