ଗୁଜରାଟରେ ବେଆଇନ ଗ୍ୟାସ୍ ରିଫିଲିଂ ବେଳେ ବିସ୍ଫୋରଣ, ୨ ମୃତ
ସୁରତ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏବେ ଦେଶବ୍ୟାପୀ ଏଲ୍ପିଜି ସଙ୍କଟ ଜାରି ରହିଥିବାବେଳେ ଆଜି ଗୁଜରାଟର ସୁରତରେ ବେଆଇନ ଗ୍ୟାସ୍ ରିଫିଲିଂ ସମୟରେ ସିରିଜ୍ ବିସ୍ଫୋରଣ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମଧ୍ୟ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି। ଭରତ ନଗର ଇଣ୍ଡଷ୍ଟ୍ରିଆଲ ସୋସାଇଟିରେ ଆଜି ଭୋର ପ୍ରାୟ ୫.୩୦ ସମୟରେ ଏକ ୪ ମହଲା ବିଶିଷ୍ଟ କୋଠାରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକଟସ୍ଥ କୋଠା ଗୁଡ଼ିକୁ ଦୋହଲାଇ ଦେଇଥିଲା ଏବଂ ଅଞ୍ଚଳରେ ଏକ ଆତଙ୍କ ସୃଷ୍ଟି କରିଥିଲା। ଅଧିକାରୀଙ୍କ ଅନୁଯାୟୀ ୟୁନିଟ୍ ୪୬ ଏବଂ ୪୭ରେ ଆଜି ସକାଳେ ଅଗ୍ନିକାଣ୍ଡ ହୋଇଥିଲା। କୌଣସି ଅଜଣା କାରଣ ପାଇଁ ଗ୍ୟାସ ସିଲିଣ୍ଡରଗୁଡ଼ିକ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ନିଆଁ ଲାଗିଥିବା ଖବର ପାଇ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ୪ଟି ଅଗ୍ନି କେନ୍ଦ୍ରର ଅଗ୍ନି ନିର୍ବାପକ ଦଳଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଥିଲା। ବିଲ୍ଡିଂରୁ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଖାଲି କରାଯାଇଛି। ସମସ୍ତଙ୍କ ଶରୀର ପୋଡ଼ି ଯାଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଛି।




