ବିଷାକ୍ତ ମଦକୁ ନେଇ ଜବଲପୁରରେ ମହିଳାଙ୍କ ଆନ୍ଦୋଳନ, ୧୯ ଜଣଙ୍କ ମୃତ୍ୟୁ
By: Samaya Live Desk
ଭୋପାଳ: ମଧ୍ୟପ୍ରଦେଶ ଜବଲପୁରର ବାବା ତୋଲା ଏବଂ ସିଦ୍ଧି ଶିବିର ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ବିଷାକ୍ତ ମଦ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ଯାହା ଫଳରେ ମାତ୍ର କିଛି ମାସ ମଧ୍ୟରେ ଏହି ଅଞ୍ଚଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣା ଉକ୍ତ ଅଞ୍ଚଳର ମହିଳାଙ୍କ ମଧ୍ୟରେ ଏକ କ୍ରୋଧ ସୃଷ୍ଟି କରିଛି। ସ୍ଥାନୀୟ ଅଞ୍ଚଳର ମହିଳାମାନେ ପ୍ଲାକାର୍ଡ ଏବଂ ମୃତକଙ୍କ ଫଟୋଗ୍ରାଫ୍ ଧରି ଏସ୍ପି ଅଫିସ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଛନ୍ତି। ସେମାନଙ୍କର ଗୋଟିଏ ଦାବି। ଅଞ୍ଚଳରେ ଆଲକୋହଲ ବିକ୍ରି ବନ୍ଦ କରିବାପାଇଁ ସେମାନେ ଦାବି କରିଛନ୍ତି। ମଦ ପାଇଁ ଅନେକ ପରିବାର ଉଜୁଡ଼ି ଯାଇଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମାୟା ବାଇ। ଯାହାଙ୍କ ଯନ୍ତ୍ରଣା ସମଗ୍ର ଅଞ୍ଚଳର ମିଳିତ ଯନ୍ତ୍ରଣାକୁ ପ୍ରତିଫଳିତ କରିଛି। ତାଙ୍କ ଆଖିର ଲୁହ ଶୁଖୁନାହିଁ। ତାଙ୍କର ଏକଦା ସ୍ବାମୀ ଏବଂ ୨ ପୁଅ ଥିଲେ। କିନ୍ତୁ ସମୟ କ୍ରମେ ସମସ୍ତେ ନିଶାଶକ୍ତ ହୋଇଗଲେ। ଗୋଟିକ ପରେ ଗୋଟିଏ ଜଣଙ୍କର ଆଲକୋହଲ ଜୀବନ ନେଇଗଲା। ଏବେ ମାୟା ବାଇଙ୍କ ପାଖରେ ନା ସ୍ବାମୀ ନା’ ପୁଅ କେହି ନାହାନ୍ତି। ସେ ତାଙ୍କର ଏକମାତ୍ର ଝିଅର ଭରସାରେ ବଞ୍ଚିଛନ୍ତି। ମାୟା କହିଛନ୍ତି, ପୁଅମାନଙ୍କୁ ସେ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଛନ୍ତ। କିନ୍ତୁ ଶସ୍ତା ମଦ ଆଗରୋ ତାଙ୍କ କଥାର କିଛି ଓଜନ ରହିଲାନି। ସେ କହିଛନ୍ତି, ଯଦି ମଦ ବନ୍ଦ ନହୁଏ ତେବେ ତାଙ୍କ ଅଞ୍ଚଳର ସମସ୍ତ ଯୁବଗୋଷ୍ଠୀ ମଦ କବଳରେ ପଡ଼ିଯିବେ। କେବଳ ମାୟା ନୁହନ୍ତି ବାବା ତୋଲା ଏବଂ ସିଦ୍ଧି ଶିବିରରେ ଏମିତି ଅନେକ ଘର ଅଛି ଯେଉଁଠାୋର ମଦ ପାଇଁ ଗୋଟିଏ ପରିବାରରୁ କେବଳ ୩-୪ ମୁଣ୍ଡ ଯାଇଛି।
Tags:



