ଉତ୍ତରାଖଣ୍ଡରେ ୪୮ ଘଣ୍ଟା ମଧ୍ୟରେ ବିଭିନ୍ନ କାରଣ ପାଇଁ ୧୮ ମୃତ
ଡେରାଡୁନ୍: ଉତ୍ତରାଖଣ୍ଡରେ ଝଡ଼, ବଜ୍ରପାତ, ଦୁର୍ଘଟଣା ଓ ଜଙ୍ଗଲ ନିଆଁ ଯୋଗୁଁ ଗତ ୪୮ ଘଣ୍ଟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଚାରିଧାମ ଯାତ୍ରା ଓ ଆଦି କୈଳାସ ଯାତ୍ରା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିବାବେଳେ ପ୍ରତିକୂଳ ପାଣିପାଗ ଯୋଗୁ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ଆଧ୍ୟାତ୍ମିକ ସ୍ଥଳ ତୁଙ୍ଗନାଥ ଚୋପ୍ଟା ଅଞ୍ଚଳରେ ପାଗରେ ଦ୍ରୁତ ପରିବର୍ତ୍ତନ ଓ ଭୟଙ୍କର ଝଡ଼ ଯୋଗୁଁ ତୀର୍ଥଯାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଫସି ରହିଥିବାବେଳେ ଲକ୍ଷ୍ନୌର ଦୁଇ ଭାଇ ଅଭିଷେକ ଓ ଅଭିନବ ବାଜପେୟୀଙ୍କ ମୃତ୍ୟୁ ହୋଇଛି। ଚନ୍ଦ୍ରଶିଳା ତୁଙ୍ଗନାଥ ଅଞ୍ଚଳ ବଜ୍ରପାତ ଯୋଗୁଁ ଜଣେ ମହିଳା ଆହତ ହୋଇଥିଲେ। ଚଳିତ ଋତୁରେ ଯମୁନେତ୍ରୀ ମାର୍ଗରେ ୧୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାବେଳେ ଗତକାଲି ଜଣଙ୍କର ମୃତ୍ୟୁ ହୋଇଛି। ଗତ ଦୁଇ ଦିନ ମଧ୍ୟରେ ଚାମୋଲି, ଉତ୍ତରକାଶୀ, ଆଲମୋରା ଓ ତେହରି ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଚାମୋଲିର ଦେୱଲ ବ୍ଲକରେ ଆମ୍ବୁଲାନ୍ସ ଖାତକୁ ଖସି ପଡ଼ି ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଗଙ୍ଗୋତ୍ରୀ ରାଜପଥରେ ଅନ୍ୟ ଏକ ଦୁର୍ଘଟଣାରେ ଗଙ୍ଗନାନୀରୁ ଉତ୍ତରକାଶୀ ଯାଉଥିବା ଏକ ଗାଡ଼ି ରାସ୍ତାରୁ ଓଲଟି ପଡ଼ିବାରୁ ମହାରାଷ୍ଟ୍ରର ନାଗପୁରର ଦୁଇ ଜଣ ବୃଦ୍ଧ ପର୍ଯ୍ୟଟକ ୬୭ ବର୍ଷୀୟ ଲକ୍ଷ୍ମୀ ରାମଟେକର ଓ ୭୭ବର୍ଷୀୟ ଦାମୋଧର ରାମଟେକରଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାର ଅନ୍ୟ ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି ଓ ସେମାନଙ୍କର ଚିକିତ୍ସା ଚାଲିଛି।



