ପୁଣେ, ପିମ୍ପରି ଛିଞ୍ଚୱାଡ଼ାରେ ବିଷାକ୍ତ ମଦ ପିଇ ୧୫ ଜଣଙ୍କ ମୃତ୍ୟୁ
ମୁମ୍ବାଇ: : ମହାରାଷ୍ଟ୍ରର ପୁଣେ, ପିମ୍ପ୍ରି ଚିଞ୍ଚଵାଡ଼ରେ ବିଷାକ୍ତମଦ ପିଇ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ, ପୀଡିତଙ୍କ ମଧ୍ୟରେ ପିମ୍ପ୍ରି ଚିଞ୍ଚୱାଡର ୧୦ ଜଣ ବାସିନ୍ଦା ଓ ପୁଣେର ହଡପସରର ପାଞ୍ଚ ଜଣ ବାସିନ୍ଦା ଅଛନ୍ତି, ଯେଉଁମାନେ ୱାନୱାଡି ଅଞ୍ଚଳରେ ମଦ ପିଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଭାଇ ଥିବା ବେଳେ ସେମାନଙ୍କ ବାପା ନକଲି ମଦ ପିଇବା ପରେ ଦୃଷ୍ଟିଶକ୍ତି ହରାଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ନକଲି ମଦ ଘଟଣାରେ ସମ୍ପୃକ୍ତ କାହାକୁ ସରକାର ଛାଡିବେ ନାହିଁ। ସେ କହିଛନ୍ତି ଯେ ସେ ପୁଲିସ କମିସନରଙ୍କ ସହ କଥା ହୋଇଥିଲେ ଏବଂ ସେ ଏହାକୁ ଏକ ପ୍ରକାର ହତ୍ୟାକାଣ୍ଡ ବୋଲି କହିଛନ୍ତି। ଏହି ମାମଲାରେ ଆଠ ଜଣଙ୍କୁ ଗିରଫ କରାଯାଇଛି। ଏହି ଦୁଃଖଦ ଘଟଣା ପାଇଁ ଦାୟୀ ଅଧିକ ଲୋକଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ଯେଉଁଠାରେ ବେଆଇନ ମଦ ତିଆରି ହୋଇଥିଲା ସେହି ସ୍ଥାନକୁ ପୁଲିସ ଚିହ୍ନଟ କରିଛି। ଆମେ କାହାକୁ ଛାଡ଼ିବୁ ନାହିଁ କାରଣ ଏହା ଏକ ଗୁରୁତର ଅପରାଧ ବୋଲି ଫଡନାଭିସ୍ କହିଛନ୍ତି। ମଦରେ ବିଷାକ୍ତ ରାସାୟନିକ ମିଥାନଲ୍ ମିଶ୍ରିତ ହୋଇଥିବା ସନ୍ଦେହ କରାଯାଉଛି, ଯାହା ଫଳରେ ଏହି ମୃତ୍ୟୁ ଘଟିଥାଇପାରେ ବୋଲି ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି। ସ୍ଥାନୀୟ ଏନ୍ସିପି ନେତା ଯୋଗେଶ ବାହଲ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।



