ରିୟାଦ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ, ୧୨ ମୃତ, ୧୦ ଭାରତୀୟଙ୍କ ସମେତ ୩୦୦ରୁ ଅଧିକ ଆହତ

ରିୟାଦ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ, ୧୨ ମୃତ, ୧୦ ଭାରତୀୟଙ୍କ ସମେତ ୩୦୦ରୁ ଅଧିକ ଆହତ
Samaya Live Desk Picture
Published On

ରିୟାଦ: ସାଉଦି ଆରବର ରାଜଧାନୀ ରିୟାଦ ସ୍ଥିତ କିଙ୍ଗ୍‌ ଖାଲିଦ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଶନିବାର ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୧୦ ଜଣ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ପରେ ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯିବା ସହ ରିୟାଦ ଅଭିମୁଖେ ଆସୁଥିବା ବିମାନଗୁଡ଼ିକୁ ଅନ୍ୟତ୍ର ପଠାଇ ଦିଆଯାଇଛି। ଏହାକୁ ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀଙ୍କ ଆକ୍ରମଣ ବୋଲି ସାଉଦି ନେତୃତ୍ୱାଧୀନ ସାମରିକ ମେଣ୍ଟ କହିଛି। ହୁତି ଗୋଷ୍ଠୀ ମଧ୍ୟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସାଉଦି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ୪ ଜଣ ସାଉଦି ନାଗରିକ, ୨ ଜଣ ବାଂଲାଦେଶୀ ଏବଂ ଆମେରିକା, ଜୋର୍ଡାନ, ପାଲେଷ୍ଟାଇନ, ସିରିଆ, ସୁଦାନ ଓ ଇଜିପ୍ଟର ଜଣେ ଲେଖାଏଁ ନାଗରିକ ଅଛନ୍ତି। ଆହତମାନଙ୍କୁ ଆମ୍ବୁଲାନ୍ସ ଓ ହେଲିକପ୍ଟର ଯୋଗେ ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି। ଏକ ସପ୍ତାହ ମଧ୍ୟରେ ରିୟାଦ ବିମାନବନ୍ଦର ଉପରେ ଏହା ତୃତୀୟ ଆକ୍ରମଣ। ପୂର୍ବରୁ ହୋଇଥିବା ଦୁଇଟି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହେବା ସହ ବିମାନବନ୍ଦରରେ ରଖାଯାଇଥିବା ଏକ ସାଉଦି ବାଣିଜ୍ୟିକ ବିମାନ କ୍ଷତିଗ୍ରସ୍ତ ହୋଇଥିଲା।

Tags: