ଝାଡ଼ଖଣ୍ଡରେ ବଜ୍ରାଘାତରେ ୧୦ ମୃତ, ମଧ୍ୟପ୍ରଦେଶରେ ୪ ମୃତ

ଝାଡ଼ଖଣ୍ଡରେ ବଜ୍ରାଘାତରେ ୧୦ ମୃତ, ମଧ୍ୟପ୍ରଦେଶରେ ୪ ମୃତ
Samaya Live Desk Picture
Published On
ରାଞ୍ଚି: ଦେଶ‌ରେ ବିଭିନ୍ନ ରାଜ୍ୟରେ ବଜ୍ରାଘାତ ଯୋଗୁ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡରେ ବଜ୍ରପାତରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମାତ୍ର ୨ ଦିନରେ ଝାଡ଼ଖଣ୍ଡରେ ବଜ୍ରାଘାତ ମୃତ୍ୟୁ ହୋଇଥିବାବେଳେ ୧୦ ଦିନ ମଧ୍ୟରେ ୨୦ରୁ ଅଧିକଙ୍କର ବଜ୍ରାଘାତ ଯୋଗୁ ମୃତ୍ୟୁ ହୋଇଯାଇଛି। ଛତିଶଗଡ଼ରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ରତଲାମରେ ବର୍ଷା ଯୋଗୁଁ ରାସ୍ତା ଓ ଅଣ୍ଡରବ୍ରିଜ ପାଣିରେ ବୁଡ଼ିଯାଇଛି। ଉତ୍ତର ପ୍ରଦେଶର ହମିରପୁରରେ ମଧ୍ୟ ବଜ୍ରପାତ ଯୋଗୁ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ, ମଣିପୁର ଓ ଆସାମରେ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଅନ୍ୟପକ୍ଷେ ମଧ୍ୟପ୍ରଦେଶରେ ପ୍ରବଳ ଝଡ଼ବର୍ଷା ହୋଇଛି। ଛିନ୍ଦୱାଡ଼ା ଜିଲ୍ଲାରେ ଦୁଇଟି ପୃଥକ୍‌ ଘଟଣାରେ ବଜ୍ରାଘାତରେ ୪ ଜଣ ଲୋକଙ୍କର ମୃତ୍ୟୁ ଓ ୮ ଜଣ ଆହତ ହୋଇଛନ୍ତି। ଶିବପୁରୀର ଅନେକ ଅଞ୍ଚଳରେ ପ୍ରବଳ ପବନ ଯୋଗୁ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି।
ଉଲ୍ଲେଖଯୋଗ୍ୟ ଦେଶର ୨୨ଟି ରାଜ୍ୟକୁ ମୌସୁମୀ ଛୁଇଁସାରିଛି। ଆସନ୍ତା ଜୁଲାଇ ୫ ତାରିଖ ସୁଦ୍ଧା ବାକି ରାଜ୍ୟଗୁଡ଼ିକୁ ଛୁଇଁପାରେ। ଉତ୍ତର ପ୍ରଦେଶରେ ମୌସୁମୀ ନଅ ଦିନ ବିଳମ୍ବରେ ପହଞ୍ଚି ଥିଲ। ବର୍ତ୍ତମାନ ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ମୌସୁମୀ ଆଗମନ ସତ୍ତ୍ବେ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ହରିୟାଣାର ତାପମାତ୍ରା ୪୩° ସେଲସିୟସ ଅତିକ୍ରମ କରିଛି। ରାଜସ୍ଥାନର ଫଲୋଦିରେ ତାପମାତ୍ରା ୪୩.୮ ଡିଗ୍ରି ରେକର୍ଡ଼ କରାଯାଇଛି।
Tags: