ଅହମଦାବାଦରେ ୧୦ଟି ସ୍କୁଲ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

ଅହମଦାବାଦରେ ୧୦ଟି ସ୍କୁଲ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ
Samaya Live Desk Picture
Published On

ଅହମଦାବାଦ: ଅହମଦାବାଦର ୧୦ଟି ଘରୋଇ ସ୍କୁଲ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଆଜି ଧମକ ମିଳିଥିଲା। ଇମେଲ୍‌ ଯୋଗେ ଏହି ଧମକ ମିଳିବା ପରେ ସ୍କୁଲ୍‌ ପରିସରରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ତେବେ ପରେ ଏହା ଏକ ମିଥ୍ୟା ଧମକ ବୋଲି ସ୍ପଷ୍ଟ ହୋଇଥିଲା। ଇମେଲ୍‌ ପଠାଇଥିବା ବ୍ୟକ୍ତି ନିଜକୁ ‘ଖଲିସ୍ତାନ ନ୍ୟାସନାଲ ଆର୍ମି’ ସହ ଜଡ଼ିତ ବୋଲି ଦାବି କରିଛି। ଏଥିସହ ନଭେମ୍ବର ୧ ତାରିଖରେ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ୍‌ ଏବଂ ନଭେମ୍ବର ୨୧ରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ଦିଆଯାଇଛି। ଧମକପୂର୍ଣ୍ଣ ଇମେଲ୍‌ ସମ୍ପର୍କରେ ପୁଲିସକୁ ଅବଗତ କରାଯିବା ପରେ ପୁଲିସ, ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌ ଏବଂ ଆଣ୍ଟି ସାବୋଟେଜ୍‌ ଟିମ୍‌ ସ୍କୁଲ୍‌ଗୁଡ଼ିକରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଲାସି କରିଥିଲେ। କୌଣସି ସ୍କୁଲ୍‌ରୁ ସନ୍ଦେହଜନକ ଜିନିଷ ମିଳିନଥିଲା। ଜୋନ୍‌-୭ ଡିସିପି ଶିବ ବର୍ମା କହିଛନ୍ତି, ପାଖାପାଖି ୧୦ଟି ସ୍କୁଲ୍‌କୁ ପଠାଯାଇଥିବା ଇମେଲ୍‌ରେ ଆଜି ସକାଳେ ଏହି ସବୁ ସ୍କୁଲ୍‌ରେ ବିସ୍ଫୋରଣ ହେବ ବୋଲି ଦାବି କରାଯାଇଥିଲା। ଏହାପରେ ପୁଲିସ ଟିମ୍‌ ସ୍କୁଲ୍‌ଗୁଡ଼ିକରେ ପହଞ୍ଚି ତଲାସି କରିଥିଲେ। କିନ୍ତୁ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା। ନିକଟରେ ମଧ୍ୟ ଅନେକ ସ୍କୁଲ୍‌, କୋର୍ଟ ଓ ଅନ୍ୟ ପ୍ରତିଷ୍ଠାନକୁ ଏହିଭଳି ବୋମା ଧମକ ମିଳିଥିଲା।

Tags: