ପଞ୍ଜାବରେ ଧାର୍ମିକ କାର୍ଯ୍ୟକ୍ରମରେ ଆଖିବୁଜା ଗୁଳିମାଡ଼: ଜଣେ ନାବାଳକ ମୃତ, ୩ ଗୁରୁତର
ଚଣ୍ଡୀଗଡ଼: ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଫୁଟିଲା ଗୁଳି। ଭକ୍ତି ଓ ଶ୍ରଦ୍ଧାର ପରିବେଶ ମୁହୂର୍ତ୍ତକ ମଧ୍ୟରେ ପାଲଟିଗଲା ଆତଙ୍କର ବାତାବରଣରେ। ବାଇକ୍ରେ ଆସିଥିବା କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିବାରୁ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ପଞ୍ଜାବର ତରନତାରନ ଜିଲ୍ଲାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଶୁକ୍ରବାର ରାତିରେ ତରନତାରନର ଗଳି କାଣ୍ଡିଆଁୱାଲିସ୍ଥିତ ମହାରାଜା ରଣଜିତ ସିଂହ ସ୍କୁଲ ନିକଟରେ ଏକ ଜାଗରଣ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ କିଛି ଅଜଣା ଦୁର୍ବୃତ୍ତ ସେଠାରେ ପହଞ୍ଚି ଗୁଳିମାଡ଼ କରିଥିଲେ। ପ୍ରାଥମିକ ତଦନ୍ତ ଅନୁସାରେ, ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୁଲିସ ସନ୍ଦେହ କରୁଛି। ଗୁଳିମାଡ଼ରେ ଜୈମଲ ସିଂହଙ୍କ ୧୭ ବର୍ଷୀୟ ପୁଅ ସୁଖରାଜ ସିଂହଙ୍କ ମୃତ୍ୟୁ ହୋଇଛି। ଆହତମାନେ ହେଲେ ୨୨ ବର୍ଷୀୟ ବବି, ୨୨ ବର୍ଷୀୟ ରିଷି ଏବଂ ୪୦ ବର୍ଷୀୟ ହରଦୀପ। ସମସ୍ତ ଆହତଙ୍କୁ ତରନତାରନ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ଡିଏସ୍ପି ସୁଖବୀର ସିଂହ ଓ ସିଟି ଥାନା ଅଧିକାରୀ ପରମଜିତ ସିଂହ ବିର୍ଦିଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ମୃତକଙ୍କ ପରିବାର ସଦସ୍ୟ ନ୍ୟାୟ ଦାବିରେ ପ୍ରତିବାଦ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସମୟୋଚିତ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ଏଭଳି ଘଟଣାକୁ ରୋକାଯାଇ ପାରିଥାନ୍ତା ବୋଲି ସେମାନେ କହିଛନ୍ତି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ପରିଚୟ ଓ ଆକ୍ରମଣ ପଛର ପ୍ରକୃତ କାରଣ ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି।




