ଆସାମ, କେରଳ, ପୁଡୁଚେରୀରେ ମତଦାନ ଜାରି

ଆସାମ, କେରଳ, ପୁଡୁଚେରୀରେ ମତଦାନ ଜାରି
Samaya Live Desk Picture
Published On

ନୂଆଦିଲ୍ଲୀ : ଆସାମ, କେରଳ ଏବଂ ପୁଡ଼ୁଚେରୀରେ ଆଜି ମତଦାନ ଜାରି ରହିଛି। ଉକ୍ତ ୩ ରାଜ୍ୟରେ ୬.୧ କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବାପାଇଁ ଯୋଗ୍ୟ ବିବେଚିତ ଅଟନ୍ତି। କେରଳରେ ୧୪୦ ଆସନ, ଆସାମରେ ୧୨୬ ଏବଂ ପୁଡ଼ୁଚେରୀରେ ୩୦ ଆସନରେ ଆଜି ଭୋଟ୍‌ ଗ୍ରହଣ ହେଉଛି। ଆସାମରେ ଅପରାହ୍ନ ୧ଟା ସୁଦ୍ଧା ୫୯.୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ କେରଳରେ ୪୭.୩ ପ୍ରତିଶତ ଏବଂ ପୁଡ଼ୁଚେରୀରେ ୫୬.୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।  ଆସାମ‌ରେ ୭୨୨ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ ଏବଂ କେରଳରେ ୧୪୦ ଆସନ ପାଇଁ ୮୮୩ ପ୍ରାର୍ଥୀ ନିର୍ବାଚନି ଲଢ଼ୁଛନ୍ତି। ପୁଡ଼ୁଚେରୀରେ ୨୯୪ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି

ଆସାମରେ ନିର୍ବାଚନୀ ହିଂସା ଯୋଗୁ ୭ ଜଣଙ୍କୁ ଗିରଫ କରାଯାଇଛି। ଗତରାତି‌ରେ ତାମୁଲପୁରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା। ପୁଲିସ ହିଂସାରେ ସାମିଲ ୪ ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଏକ ଘଟଣାରେ ଶିବସାଗରରେ ଏକ ରାଜ‌ନୈତିକ ଦଳର ଦୁଇରୁ ତିନିଜଣ ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଥିଲା। ଶିବସାଗର ଆସନରୁ ପୁନଃନିର୍ବାଚନ ପାଇଁ ଆଶାୟୀ ଅଖିଳ ଗୋଗୋଇ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ବିଜେପି ପ୍ରାର୍ଥୀ କୁଶଲ ଦୋୱାରିଙ୍କର ହାତ ରହିଛି। ଶ୍ରୀଭୂମି, ଗୋଲାଘାଟ ଓ ନାଗାଓଁରେ ଅନେକ ପୋଲିଂ ଷ୍ଟେସନ ନିକଟରେ ଗଣ୍ଡଗୋଳ ଘଟିଛି। ପଥରକାଣ୍ଡି, ମରୋପାନି ଓ ରାହାରେ ଶାସକ ଓ ବିରୋଧୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଆସାମର କେତେକ ସ୍ଥାନରେ ପ୍ରବଳ ବର୍ଷା ସତ୍ତ୍ବେ ଲୋକମାନେ ଭୋଟ ଦେବାକୁ ଲମ୍ବାଧାଡ଼ିରେ ଛିଡ଼ା ହୋଇଛନ୍ତି। ଆସାମର ସୋନିତପୁର ଜିଲ୍ଲାରେ ଜଣେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ଦେ‌ବେନ ହୋରୋ (୪୫) ନଦୁଆର୍‌ ନିର୍ବାଚନ ମଣ୍ଡଳୀରେ ସେକେଣ୍ଡ ପୋଲିଂ ଅଫିସର ଭାବରେ ନିଯୁକ୍ତ ହୋଇଥିଲେ। କିନ୍ତୁ ସକାଳେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

Tags: