ମକ୍ ପାର୍ଲାମେଣ୍ଟରେ ହିଁ ପ୍ରଧାନମନ୍ତ୍ରୀ ହୋଇପାରିବେ ରାହୁଲ: ହିମନ୍ତ ବିଶ୍ୱଶର୍ମା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ କଟାକ୍ଷ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ରାହୁଲ କେବଳ ମକ୍ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ହୋଇପାରିବେ, ବାସ୍ତବ ସଂସଦରେ ନରେନ୍ଦ୍ର ମୋଦୀ ହିଁ ପ୍ରଧାନମନ୍ତ୍ରୀ ରହିବେ ବୋଲି ସେ କହିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡି ମେଣ୍ଟର ପ୍ରତୀକାତ୍ମକ ମହାଭିଯୋଗ ପ୍ରସ୍ତାବ ଓ ପରବର୍ତ୍ତୀ ସମାବେଶକୁ ନେଇ ପ୍ରତିକ୍ରିୟା ଦେଇ ହିମନ୍ତ ଏହି ମନ୍ତବ୍ୟ ଦେଇଛନ୍ତି। ଖଡ଼ଗେଙ୍କ ବାସଭବନ ପରିସରରେ ଆୟୋଜିତ ମକ୍ ପାର୍ଲାମେଣ୍ଟରେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିବା ସେ କହିଛନ୍ତି। ସୋନିଆ ଗାନ୍ଧୀ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଅନେକ ଉଦ୍ୟମ କରିଥିଲେ, ମାତ୍ର ସେଥିରେ ସଫଳ ହୋଇନଥିଲେ ବୋଲି ହିମନ୍ତ ଦାବି କରିଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍)କୁ ନେଇ ବିରୋଧୀ ଦଳଗୁଡ଼ିକ ଅନିୟମିତତା ଓ ପ୍ରକୃତ ଭୋଟରଙ୍କ ନାମ ବାଦ୍ ପଡ଼ିବା ଅଭିଯୋଗ ଉଠାଇଛନ୍ତି। ଏହାକୁ ନେଇ ବିଜେପି ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଜାରି ରହିଛି।




