ଡାକ୍ତରମାନଙ୍କୁ ଆକ୍ରମଣ କରାଯାଇପାରିବ ନାହିଁ’: ଶିବସେନା କର୍ପୋରେଟରଙ୍କ ଜାମିନ ବାତିଲ୍
ମୁମ୍ବାଇ: ଡାକ୍ତରମାନଙ୍କୁ ଆକ୍ରମଣ କରାଯାଇପାରିବ ନାହିଁ ବୋଲି ଦୃଢ଼ ଭାବେ କହି ସୁପ୍ରିମକୋର୍ଟ ସୋମବାର ଥାଣେ ଜିଲ୍ଲାର ଏକ ପୌର ହସ୍ପିଟାଲରେ ଡାକ୍ତରମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଅଭିଯୁକ୍ତ ଶିବସେନା କର୍ପୋରେଟର ରମେଶ ମହାତ୍ରେଙ୍କୁ ବମ୍ବେ ହାଇକୋର୍ଟ ଦେଇଥିବା ଜାମିନ ଆଦେଶ ଉପରେ ରୋକ ଲଗାଇଛନ୍ତି। ସୁପ୍ରିମକୋର୍ଟ ମହାତ୍ରେଙ୍କୁ ତିନି ଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ସନ୍ଦୀପ ମେହଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦାଖଲ ଅପିଲ୍କୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଖଣ୍ଡପୀଠ କହିଛନ୍ତି,‘ଏହି ବାର୍ତ୍ତା ସ୍ପଷ୍ଟ ଓ ଜୋରଦାର ଭାବେ ଯିବା ଉଚିତ ଯେ ଡାକ୍ତର ସମାଜକୁ ଆକ୍ରମଣ କରାଯାଇପାରିବ ନାହିଁ। ସେମାନେ ଲୋକଙ୍କ ସେବା କରନ୍ତି ଏବଂ ଏଭଳି ଭାବରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇପାରିବ ନାହିଁ। ମହାତ୍ରେଙ୍କ ଘଟଣା ପରେ ସେହି ଦଳ ସହ ସମ୍ପୃକ୍ତ ଆଉ ଏକ ସମାନ ଘଟଣା ଘଟିଥିବା କଥା ମଧ୍ୟ ସର୍ବୋଚ୍ଚ ଅଦାଲତ ଉଲ୍ଲେଖ କରିଥିଲେ। ମହାତ୍ରେଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାଭେ କହିଥିଲେ ଯେ ଦୁଇଜଣ ସାକ୍ଷୀଙ୍କ ବୟାନ ପୂର୍ବରୁ ରେକର୍ଡ ହୋଇସାରିଛି। ଅଭିଯୋଗକାରୀ ମହିଳା ଡାକ୍ତରଙ୍କ ବୟାନ ଅକ୍ଟୋବର ୩ ତାରିଖରେ ରେକର୍ଡ ହେବ। ବିଚାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଏଥିରେ କୌଣସି ବାଧା ନାହିଁ ବୋଲି ସେ କହିଥିଲେ। ଖଣ୍ଡପୀଠ କହିଥିଲେ ଯେ ମହାତ୍ରେଙ୍କ ଘଟଣାରୁ ଏହା ମଧ୍ୟ ଜଣାପଡ଼ୁଛି ଯେ ବର୍ତ୍ତମାନର ମାମଲା ସମେତ ତାଙ୍କ ବିରୋଧରେ ମୋଟ ୧୯ଟି ଅପରାଧିକ ମାମଲା ରହିଛି। ଏହାର ଉତ୍ତରରେ ଦାଭେ ଯୁକ୍ତି ଦେଇଥିଲେ ଯେ ଏହି ସମସ୍ତ ମାମଲା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଏବଂ ସେ ଏଥିରୁ ୧୮ଟି ମାମଲାରେ ଦୋଷମୁକ୍ତ ହୋଇସାରିଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଅନୁଯାୟୀ ମାମଲାର ଶୀଘ୍ର ବିଚାର କରିବାକୁ ଅନୁରୋଧ କରାଯିବା ପରେ ଖଣ୍ଡପୀଠ କହିଥିଲେ ଯେ ଏହି ନିର୍ଦ୍ଦେଶ ସମ୍ପର୍କରେ ସେମାନେ କୌଣସି ମନ୍ତବ୍ୟ ଦେଉନାହାନ୍ତି।




