ଦିଲ୍ଲୀ ରେଷ୍ଟୁରାଣ୍ଟ ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା
ନୂଆଦିଲ୍ଲୀ: ଦିଲ୍ଲୀ ମାଲବ୍ୟ ନଗରରେ ଲେମନ ଗ୍ରିନ୍ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୧ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏତେ ଲୋକଙ୍କ ଜୀବନହାନିକୁ ମୋଦୀ ଦୁଃଖଦ ଘଟଣା ବୋଲି କହିଛନ୍ତି। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୋଦୀ କହିଛନ୍ତି ଯେ, କର୍ତ୍ତୃପକ୍ଷ ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି। ସେ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଆହତଙ୍କ ପାଇଁ ୫୦୦୦୦ ଟଙ୍କା ଘୋଷଣା କରିଛନ୍ତି। ଅଗ୍ନିକାଣ୍ଡ ଘଟଣାରେ ୩୭ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଏମ୍ସ ଟ୍ରମା ସେଣ୍ଟର, ମ୍ୟାକ୍ସ ସାକେଟେ ଓ ପଣ୍ଡିତ ଏମଏମ ମାଲବ୍ୟ ହସ୍ପିଟାଲକୁ ନିଆଯାଇଛି।
ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ ଜରୁରୀକାଳୀନ ସଂସ୍ଥାଗୁଡ଼ିକ ଦ୍ରୁତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ କହିଛନ୍ତି। ମାଲବ୍ୟ ନଗର ଅଗ୍ନିକାଣ୍ଡ ସମୟରେ ସ୍ଥାନୀୟ ବାସିନ୍ଦା ଶେର ଖାନ ଘଟଣାର ଭୟାବହତାକୁ ବର୍ଣ୍ଣନା କରି କହିଛନ୍ତି ଯେ, ଛୋଟଧରଣର ନିଆଁ ଚାହୁଁ ଚାହୁଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଲୋକମାନେ ଗଦି ବିଛାଇ ଦେଇଥିଲେ। ତୃତୀୟ ମହଲାରୁ ଜଣେ ମହିଳା ତାଙ୍କ ଶିଶୁ ସହିତ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ବହୁତ ସହାୟତା କରିଥିଲେ



