ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀ ଆସିବେ ପୁଟିନ ଓ ଜିନ୍ପିଙ୍ଗ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ସାରା ବିଶ୍ବ ପ୍ରଭାବିତ ହୋଇଥିବାବେଳେ ଭାରତରେ ବିଶ୍ବର ନେତାଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପମଠାରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଯେଉଁଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ଦକ୍ଷିଣ ଆଫ୍ରିକାରେ ଥିବା ରୁଷ ଦୂତାବାସ ପକ୍ଷରୁ ଦୁଇ ଦିନିଆ ବ୍ରିକ୍ସ ସମ୍ମିଳନୀରେ ପୁଟିନଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯାଇଛି। ଡିସେମ୍ବର ୨୦୨୫ରେ ଭାରତ-ରୁଷ୍ ବାର୍ଷିକ ସମ୍ମିଳନୀ ପାଇଁ ପୁଟିନ ଭାରତ ଗସ୍ତ କରିଥିଲେ ଓ ଏକ ବର୍ଷ ମଧ୍ୟରେ ପୁଟିନଙ୍କର ଏହା ଦ୍ୱିତୀୟ ଭାରତ ଗସ୍ତ ହେବାକୁ ଯାଉଛି। ପଶ୍ଚିମ ଦେଶଗୁଡ଼ିକ ପକ୍ଷରୁ ରୁଷ ଉପରେ ଜାରି ରହିଥିବା ଆର୍ଥିକ କଟକଣା ଓ ବାସନ୍ଦ ନୀତି ମଧ୍ୟରେ ପୁଟିନଙ୍କର ଏହି ଭାରତ ଗସ୍ତ ବିଶ୍ୱ କୂଟନୀତିରେ ମସ୍କୋର ସାମରିକ ଓ ରଣନୈତିକ ଆଭିମୁଖ୍ୟକୁ ଅଧିକ ଦୃଢ଼ କରୁଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଜିନ୍ପିଙ୍ଗ୍ଙ୍କ ସମ୍ଭାବ୍ୟ ଯୋଗଦାନ ସମ୍ପର୍କରେ ବୁଧବାର ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟରେ ପ୍ରକାଶ କରିଛି। ୨୦୧୯ ପରେ ଏହା ଜିନ୍ପିଙ୍ଗ୍ଙ୍କ ଦ୍ବିତୀୟ ଭାରତ ଗସ୍ତ ହେବ। ତାମିଲନାଡ଼ୁର ମାମଲାପୁରମ୍ଠାରେ ଜିନ୍ପିଙ୍ଗ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। ତେବେ ଜୁନ୍ ୨୦୨୦ରେ ଗାଲୱାନ୍ ଉପତ୍ୟକା ସଂଘର୍ଷ ଓ ଡିସେମ୍ବର ୨୦୨୨ରେ ଉତ୍ତେଜନାପୂର୍ଣ୍ଣ ତୱାଙ୍ଗ ସୀମା ଗତିରୋଧ ଚୀନ୍-ଭାରତ ସମ୍ପର୍କକୁ ପ୍ରଭାବିତ କରିଥିଲା। ସୀମା ବିବାଦ ପରେ ରୁଷ୍ର କାଜାନରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀର ଅବସରରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ପ୍ରଥମ ଥର ସାକ୍ଷାତ ହୋଇଥିଲା।



