ଆସାମ ବନ୍ୟା ପ୍ରଭାବିତଙ୍କ ଥଇଥାନ ପାଇଁ ୧,୦୦୦ କୋଟି ଆବଶ୍ୟକ: ହିମନ୍ତ ବିଶ୍ୱ ଶର୍ମା
ଗୌହାଟୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୁଧବାର କହିଛନ୍ତି , ରାଜ୍ୟରେ ବନ୍ୟା ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ପ୍ରାୟ ୧,୦୦୦ କୋଟି ଟଙ୍କା ଆବଶ୍ୟକ ହେବ। ଶର୍ମା କହିଛନ୍ତି ଯେ କ୍ଷୟକ୍ଷତିର ଆକଳନ ପାଇଁ ବର୍ତ୍ତମାନ ୪ଟି ଜିଲ୍ଲାରେ ଚାଲିଥିବା ସର୍ଭେ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବ। ଏହି ସର୍ଭେରେ ପ୍ରାୟ ୬୦,୦୦୦ ପ୍ରଭାବିତ ପରିବାର ଚିହ୍ନଟ ହେବା ଆଶା କରାଯାଉଛି। ସେ କହିଛନ୍ତି, ସର୍ଭେ ଶେଷ ହେବା ପରେ ପ୍ରଭାବିତ ଲୋକଙ୍କ ଜୀବନକୁ ପୁଣିଥରେ ସ୍ୱାଭାବିକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତାର ଆଶ୍ୱାସନ ଦେଇଛନ୍ତି । ଥଇଥାନ ପାଇଁ ପ୍ରାୟ ୧,୦୦୦ କୋଟି ଆବଶ୍ୟକ ହେବାନେଇ ଆମେ ଆଶା କରୁଛୁ ବୋଲି ଶର୍ମା କହିଛନ୍ତି। ତେବେ ଏପର୍ଯ୍ୟନ୍ତ ପ୍ରାୟ ୮,୦୦୦ ପରିବାରର ସର୍ଭେ କରାଯାଇଛି ଏବଂ ୧୫୦ କୋଟିର କ୍ଷୟକ୍ଷତି ରେକର୍ଡ ହୋଇଛି। ଥଇଥାନ ପାଇଁ ଆମେ କେନ୍ଦ୍ର ସରକାରଙ୍କଠାରୁ ସହାୟତା ପାଇବୁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି। ସର୍ଭେରେ ଅଗଷ୍ଟ ୩୦ ସୁଦ୍ଧା ପ୍ରାୟ ୬୦,୦୦୦ ପ୍ରଭାବିତ ପରିବାର ଚିହ୍ନଟ ହେବେ ବୋଲି ଶର୍ମା କହିଛନ୍ତି। ଏହାର ସବିଶେଷ ତଥ୍ୟକୁ ସେପ୍ଟେମ୍ବର ୧୫ ସୁଦ୍ଧା ଦୁଇଥର ଯାଞ୍ଚ କରାଯିବ। ଏହା ପରେ ଆଉ ଏକ ପର୍ଯ୍ୟାୟର ଯାଞ୍ଚ କରାଯିବ, ଯାହାଦ୍ୱାରା କୌଣସି ପ୍ରଭାବିତ ପରିବାର ଯେପରି ସହାୟତା ପାଇବାରୁ ବାଦ୍ ପଡ଼ିବେନି। ଅଗଷ୍ଟ ୯ରେ ସଂସ୍କୃତି ବ୍ୟାପାର ମନ୍ତ୍ରୀ ବିମଳ ବୋରା କହିଥିଲେ ଯେ ପ୍ରଭାବିତ ପରିବାରଙ୍କ ପାଇଁ କ୍ଷତିପୂରଣର ପରିମାଣ ପରିବାର ପିଛା ୧.୭୮ ଲକ୍ଷରୁ ୩.୫ ଲକ୍ଷରୁ ଅଧିକ ହୋଇପାରେ। ସେ କହିଛନ୍ତି, ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଘର ପାଇଁ ୧.୨୦ ଲକ୍ଷ ଦିଆଯିବ। ଯେଉଁ ଘରଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ଘର ଭିତରେ ଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ନଷ୍ଟ ହୋଇଛି, ସେମାନଙ୍କୁ ମଧ୍ୟ ସମାନ ପରିମାଣର ସହାୟତା ମିଳିବ। ପ୍ରତ୍ୟେକ ଗୋରୁ ପାଇଁ ପ୍ରାୟ ୩୭,୫୦୦, ନଷ୍ଟ ହୋଇଥିବା ହସ୍ତତନ୍ତ ପାଇଁ ୫,୦୦୦ ଏବଂ ଛେଳି, ମେଣ୍ଢା କିମ୍ବା ଘୁଷୁରି ମରିଗଲେ ପ୍ରତ୍ୟେକ ପଶୁ ପାଇଁ ୪,୦୦୦ କ୍ଷତିପୂରଣ ମିଳିବ। ତେବେ ପ୍ରତ୍ୟେକ ପରିବାର ପାଇଁ ସର୍ବାଧିକ ୩୦ଟି ପଶୁ ପର୍ଯ୍ୟନ୍ତ ଏହି ସହାୟତା ଦିଆଯିବ। କୁକୁଡ଼ା ଓ ଅନ୍ୟାନ୍ୟ ପକ୍ଷୀ ନଷ୍ଟ ହେବା ସହିତ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ। ସମସ୍ତ କ୍ଷତିକୁ ହିସାବକୁ ନେଲେ ପ୍ରତ୍ୟେକ ପ୍ରଭାବିତ ପରିବାର ସର୍ବନିମ୍ନ ୧.୭୮ ଲକ୍ଷ ଏବଂ ସର୍ବାଧିକ ୩.୫ ଲକ୍ଷରୁ ଅଧିକ କ୍ଷତିପୂରଣ ପାଇପାରନ୍ତି ବୋଲି ବୋରା କହିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏପ୍ରିଲ୍ରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଆସିଥିବା ବନ୍ୟାରେ ୨୫ଟି ଜିଲ୍ଲା, ୯୦ଟି ରେଭେନ୍ୟୁ ସର୍କଲ୍ ଏବଂ ୨,୭୧୫ଟି ଗାଁ ପ୍ରଭାବିତ ହୋଇଛି। ଏଥିରେ ୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ବନ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଶିବସାଗର, ଚରାଇଦେଓ, ଗୋଲାଘାଟ ଏବଂ ଯୋରହାଟ ଏବେ ମଧ୍ୟ ବନ୍ୟା ପ୍ରଭାବିତ। ଶର୍ମା କହିଛନ୍ତି ଯେ ଚରାଇଦେଓ, ଗୋଲାଘାଟ ଏବଂ ଯୋରହାଟ ଜିଲ୍ଲାରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। କିନ୍ତୁ ଶିବସାଗରର ୩ଟି ରେଭେନ୍ୟୁ ସର୍କଲ୍ ଏବେ ମଧ୍ୟ ପ୍ରଭାବିତ। ସେଠାରେ ୬୩ଟି ଗାଁ ଜଳମଗ୍ନ ଥିବା ବେଳେ ୧୫ଟି ରିଲିଫ୍ କ୍ୟାମ୍ପରେ ୪,୧୮୮ ଜଣ ବିସ୍ଥାପିତ ଲୋକ ରହୁଛନ୍ତି।




