ପାଣି ଛୁଇଁଲେ ହାତ କାଟିଦେବୁ: ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ନେଇ ପାକ୍ ମନ୍ତ୍ରୀଙ୍କ ଧମକ
ଇସଲାମାବାଦ: ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ନେଇ ପାକିସ୍ତାନ ପୁଣି ଥରେ ଭାରତକୁ ଧମକ ଦେଇଛି। ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ୍ ମାଲିକ କହିଛନ୍ତି, ଯଦି କେହି ଆମର ପାଣି ଛୁଇଁବ ତେବେ ଆମେ ତାଙ୍କ ହାତ କାଟିଦେବୁ। ଛଅ ଦଶନ୍ଧିରୁ ଅଧିକ ପୁରୁଣା ସିନ୍ଧୁ ଜଳ ଚୁକ୍ତିନାମା(ଆଇଡବ୍ଲୁଟି)କୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ମୁସାଦିକ୍ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।ଏପ୍ରିଲ୍ ୨୦୨୫ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ୧ନ୍ଧୁ ଜଳ ଚୁକ୍ତିକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଥିଲା। ଭାରତ କହିଥିଲା ଯେ, ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ। ପହଲଗାମ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରଠାରୁ ପାକିସ୍ତାନ ଏଭଳି ମନ୍ତବ୍ୟ ଦେବା ଜାରି ରଖିଛି। ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁସାଦିକ୍ ମାଲିକ ଅଭିଯୋଗ କରିଛନ୍ତି ଯେ ଭାରତ ଜଳ ଯୋଗାଣକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ଯଦି ପାକିସ୍ତାନର ଜଳ ଅଧିକାର ବିପଦରେ ପଡ଼େ ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଏହା ନ୍ୟାୟର ମଧ୍ୟ ପ୍ରଶ୍ନ। ଆମେ ନିଜକୁ ରକ୍ଷା କରିବୁ। ଆମର ସେନା ଦୁଇଥର ପ୍ରଦର୍ଶନ କରିଛି, କେବଳ ପାଣି ନୁହେଁ,ଆମ ପବନକୁ ମଧ୍ୟ ଛୁଇଁଲେ ଆମେ ସେ ହାତ ଧରିଦେବୁ। ଏହି ମାମଲାରେ ପାକିସ୍ତାନକୁ ପୀଡିତ ଭାବରେ ଚିତ୍ରଣ କରି ମାଲିକ ଦୁଃଖ ପ୍ରକାଶ କରି କହିଛନ୍ତି,ପାହାଡ଼ ଉପରେ ରହୁଥିବା ଲୋକଙ୍କର କ’ଣ ପାଣି ବନ୍ଦ କରିବାର ଅଧିକାର ଅଛି। କୌଣସି ଚୁକ୍ତି ବିନା ବିଶ୍ୱର ଅନ୍ୟ ସ୍ଥାନରେ ପାଣି ପ୍ରବାହିତ ହେଉଛି। ଏପରିସ୍ଥଳେ ସିନ୍ଧୁ ଜଳକୁ କାହିଁକି ବନ୍ଦ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପାକିସ୍ତାନ ହାର ମାନିବ ନାହିଁ ଏବଂ ଏହି ମାମଲାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।




