ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଅକ୍ଟୋବର ୨ରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା ସିଜେପି
ନୂଆଦିଲ୍ଲୀ: ନିର୍ବାଚନ କମିସନଙ୍କ କାର୍ଯ୍ୟଶୈଳୀ ଏବଂ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାକୁ ନେଇ ସାରା ଦେଶରେ ବିବାଦ ତୀବ୍ର ହୋଇଥିବାବେଳେ ମୁଖ୍ୟ ନିର୍ବାଚନ କମିସନର୍ (ସିଇସି) ଜ୍ଞାନେଶ କୁମାର ସ୍ୱେଚ୍ଛାକୃତ ଭାବେ ଇସ୍ତଫା ନଦେଲେ, ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମୁମ୍ବାଇରୁ ଦେଶବ୍ୟାପୀ ବୃହତ୍ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ଚେତାବନୀ ଦେଇଛି। ଦଳର ଜାତୀୟ ସଂଯୋଜକ ଅଭିଜିତ୍ ଦୀପକେ ସୋସିଆଲ୍ ମିଡିଆ ‘ଏକ୍ସ’ ଜରିଆରେ ଏହି ସୂଚନା ଦେଇଛନ୍ତି। ସିଇସି ଜ୍ଞାନେଶ କୁମାର ଭୋଟରଙ୍କ ଅଧିକାରକୁ କ୍ଷୁଣ୍ଣ କରୁଥିବା ଅଭିଯୋଗ ଆଣି ସିଜେପି ତାଙ୍କର ତୁରନ୍ତ ଇସ୍ତଫା ଦାବି କରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ନମିଳିଲେ ଦେଶରେ ‘ଜନ୍ତର ମନ୍ତର ୨.୦’ ଭଳି ସ୍ଥିତି ସୃଷ୍ଟି ହେବ ବୋଲି ଦଳ କହିଛି। ଏଥିସହ ବିରୋଧୀ ଦଳଗୁଡ଼ିକୁ କଟାକ୍ଷ କରି ଦୀପକେ କହିଛନ୍ତି ଯେ, ନିର୍ବାଚନରେ କାରସାଦି ହେଉଥିବା ଜାଣି ମଧ୍ୟ କେବଳ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଅଂଶଗ୍ରହଣ କରିବା ଏକ ଅବୈଧ ପ୍ରକ୍ରିୟାକୁ ସ୍ୱୀକୃତି ଦେବା ସହ ସମାନ।
ଏହି ସମଗ୍ର ବିବାଦ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପରେ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିସନର ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ ବିଗତ ୧୦ ମାସ ମଧ୍ୟରେ ସେମାନଙ୍କ ଅଜ୍ଞାତରେ ନିଆଯାଇଥିବା ଏସଆଇଆର-ସମ୍ବନ୍ଧୀୟ ସିଦ୍ଧାନ୍ତ ଓ ପ୍ରକ୍ରିୟାଗତ ତ୍ରୁଟି ଉପରେ ଅତି କମ୍ରେ ୧୪ ଥର ଲିଖିତ ଆପତ୍ତି ଜଣାଇଥିଲେ। ନିର୍ବାଚନ ଆୟୋଗ ଏହି ନୋଟଗୁଡ଼ିକୁ ନିଷ୍ପତ୍ତି ପ୍ରକ୍ରିୟାର ଅଂଶ ବୋଲି ସ୍ୱୀକାର କରିଥିଲେ ହେଁ, କୌଣସି ନିର୍ଦ୍ଦିଷ୍ଟ କାରଣ କିମ୍ବା ଆପତ୍ତିର ସମାଧାନ ବାବଦରେ ସ୍ପଷ୍ଟୀକରଣ ଦେଇନାହାନ୍ତି। ଏହି ପରିପ୍ରେକ୍ଷୀରେ, ଏସଆଇଆର ପ୍ରକ୍ରିୟାର ନିରପେକ୍ଷ ତଦନ୍ତ ଏବଂ ସମସ୍ତ ରେକର୍ଡ ସୁପ୍ରିମ୍ କୋର୍ଟ କିମ୍ବା ଏକ ସ୍ୱାଧୀନ ନ୍ୟାୟିକ ତଦନ୍ତ କମିଟିକୁ ହସ୍ତାନ୍ତର କରିବାକୁ ସିଜେପି ଦାବି କରିଛି।
Tags:




