ଦିଲ୍ଲୀରେ ଅଘୋଷିତ ଜରୁରୀ ପରିସ୍ଥିତି ଭଳି ସ୍ଥିତି : ସିଜେପି

ଦିଲ୍ଲୀରେ ଅଘୋଷିତ ଜରୁରୀ ପରିସ୍ଥିତି ଭଳି ସ୍ଥିତି : ସିଜେପି
Samaya Live Desk Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନକୁ ଦମନ କରିବା ପାଇଁ ପ୍ରଶାସନ ଜନଜୀବନକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। କକ୍ରୋଚ ଜନତା ପାର୍ଟି (ସିଜେପି) ରବିବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବାବେଳେ ଦଳର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା ଏହି ଅଭିଯୋଗ କରିଛନ୍ତି। ସେମାନେ ଦିଲ୍ଲୀର ସ୍ଥିତିକୁ ଏକପ୍ରକାର ଅଘୋଷିତ ଜରୁରୀ ପରିସ୍ଥିତି ସହ ତୁଳନା କରିଛନ୍ତି। ଦଳର ଅଭିଯୋଗ ଅନୁଯାୟୀ, ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ମେଟ୍ରୋ ଷ୍ଟେସନ ବନ୍ଦ ଓ ରେଳ ଚଳାଚଳରେ ବାଧା ଆନ୍ଦୋଳନକାରୀଙ୍କୁ ରୋକିବା ସହ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ମଧ୍ୟ ପ୍ରଭାବିତ କରିଛି। ଦିଲ୍ଲୀରେ ୩୦ ହଜାରରୁ ୪୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଥିବା ସୌରଭ ଦାସ ଦାବି କରିଛନ୍ତି। ସେ ୧୯୭୫ ମସିହା ଜରୁରୀକାଳୀନ ସ୍ଥିତି ସହିତ ଗତକାଲିର ସ୍ଥିତିକୁ ତୁଳନା କରିଥିଲେ ଓ ଆହୁରି ଅଭିଯୋଗ କରିଥିଲେ ଯେ, ସୀମାରେ ମୁତୟନ ହୋଇଥିବା ସୈନିକଙ୍କୁ କାଶ୍ମୀରରୁ ଦିଲ୍ଲୀକୁ ଅଣାଯାଇଥିଲା। ପଶ୍ଚିମବଙ୍ଗ ଓ ଅନ୍ୟ ନକ୍ସଲ ପ୍ରଭାବିତ ଅଞ୍ଚଳରୁ ସୁରକ୍ଷାକର୍ମୀ ଅଣାଯାଇ ଦିଲ୍ଲୀରେ ଗୋଟିଏ ଆନ୍ଦୋଳନକୁ ରୋକିବାକୁ ବ୍ୟବହାର କରାଯାଇଥିଲା। ଏହି ପଦକ୍ଷେପ ଦ୍ୱାରା ଲୋକଙ୍କ ମଧ୍ୟରେ ଆନ୍ଦୋଳନ ପ୍ରତି ଅସନ୍ତୋଷ ସୃଷ୍ଟି କରିବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି। ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନେଇ ବିବାଦ ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ଓ ଅନ୍ୟ କେତେକ ଛାତ୍ର ସଂଗଠନ ଆନ୍ଦୋଳନ ଡାକରା ଦେଇଥିଲେ ।

Tags: