୨ ବିଏସ୍ଏଫ୍ ଯବାନଙ୍କୁ ୪୨ ବର୍ଷ ଜେଲ୍ ଦଣ୍ଡାଦେଶ
ଆଇଜଲ: ମିଜୋରାମର ଏକ ଜିଲ୍ଲା କୋର୍ଟ ୯ ବର୍ଷ ପୁରୁଣା ଗଣଦୁଷ୍କର୍ମ ମାମଲାରେ ଐତିହାସିକ ରାୟ ପ୍ରଦାନ କରିଛନ୍ତି। କୋର୍ଟ ୨୦୧୭ ମସିହାରେ ଜଣେ ସ୍ଥାନୀୟ ମହିଳାଙ୍କ ସହିତ ଗଣଦୁଷ୍କର୍ମ ମାମଲାରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଦୁଇ ଜଣ ଯବାନଙ୍କୁ ୪୨ ବର୍ଷ ଜେଲ ଓ ୬୦ ହଜାର ଟଙ୍କାର ଦଣ୍ଡାଦେଶ ଦେଇଛନ୍ତି। ଆଇଜଲର ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ ସିଲ୍ଭି ଜୋମୁଆନପୁଇ ରାଲତେ ଦୁଇଜଣ ଯବାନଙ୍କୁ ଗଣଦୁଷ୍କର୍ମ ମାମଲାରେ ଦୋଷୀ ବୋଲି ରାୟ ଦେଇଛନ୍ତି।
ସୂଚନାଯୋଗ୍ୟ, ୯ ବର୍ଷ ତଳେ ୨୦୧୭ ମସିହା ଜୁଲାଇରେ ଜଣେ ପୀଡ଼ିତା ନିଜ ବନ୍ଧୁଙ୍କ ସହିତ ବାଂଲାଦେଶ ସୀମା ସ୍ଥିତ ମମିତା ଜିଲ୍ଲାରେ ଗାସ୍କାଟା ନଦୀର ଘଞ୍ଚ ଜଙ୍ଗଲକୁ ପନିପରିବା ଆଣିବାକୁ ଯାଇଥିଲେ। ସେହି ସମୟରେ ସ୍ଥାନୀୟ ସୀମା ଶିବିରରେ ମୁତୟନ ଯବାନ ନୀଳାଞ୍ଜନ ଦାସ ଓ ଦିନେଶ କୁମାର ଦୁଇ ମହିଳାଙ୍କୁ ଘେରି ଯାଇଥିଲେ। ଯବାନମାନେ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ନିଜ ପରିଚୟ ଲୁଚେଇବାକୁ ପୀଡ଼ିତାଙ୍କ ଦୃଷ୍ଟିଶକ୍ତି ନଷ୍ଟ କରିବାକୁ ତାଙ୍କ ମୁହଁ ଉପରେ ଏସିଡ ପକାଇ ଦେଇଥିଲେ। ଏହି ଭୟଙ୍କର ଘଟଣା ପରେ ପୀଡ଼ିତା ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ଚେହେରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଓ ସେ ସବୁ ଦିନ ପାଇଁ ଦୃଷ୍ଟିଶକ୍ତି ହରାଇଥିଲେ। ଏହି ଗଣଦୁଷ୍କର୍ମ ସମୟରେ ତାଙ୍କ ବନ୍ଧୁ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଥିଲେ। ୧୧ ଦିନ ପରେ ଗ୍ରାମ୍ୟ ପ୍ରତିରକ୍ଷା ପାର୍ଟି ଓ ରାଜ୍ୟ ପୁଲିସ ବହୁ ଖୋଜାଖୋଜି କରିବା ପରେ ପୀଡ଼ିତାଙ୍କ ବନ୍ଧୁର ଗଳିତ ଶବ ଜଙ୍ଗଲରୁ ଉଦ୍ଧାର କରିଥିଲେ। ଯବାନମାନେ ଉକ୍ତ ମହିଳାଙ୍କୁ ହତ୍ୟା କରିଥିବା ପ୍ରମାଣ କରିବାକୁ ବହୁ ଚେଷ୍ଟା କରାଯାଇଥିଲା। କିନ୍ତୁ ପ୍ରମାଣ ଅଭାବରୁ କୋର୍ଟ ଯବାନଙ୍କୁ ହତ୍ୟା ମାମଲାରେ ଦୋଷମୁକ୍ତ କରିଦେଇଥିଲେ।
Tags:




