୨୦୧୨ ଅବଦୁଲ ଶୁକ୍କୁର ହତ୍ୟା ମାମଲା: ୧୩ ଦୋଷୀ ସାବ୍ୟସ୍ତ, ସିପିଏମ୍ର ଦୁଇ ବରିଷ୍ଠ ନେତା ପି. ଜୟରାଜନ ଓ ଟି.ଭି. ରାଜେଶଙ୍କ ସମେତ ୧୮ ନିର୍ଦ୍ଦୋଷରେ ଖଲାସ
କୋଚି: ଦୀର୍ଘ ୧୪ ବର୍ଷ ଧରି ଚାଲିଥିବା କେରଳର ବହୁଚର୍ଚ୍ଚିତ ଅବଦୁଲ ଶୁକ୍କୁର ହତ୍ୟା ମାମଲାରେ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋଚିର ସ୍ୱତନ୍ତ୍ର ସିବିଆଇ ଅଦାଲତ। ମାମଲାରେ ୧୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ସିପିଆଇ(ଏମ୍)ର ଦୁଇ ବରିଷ୍ଠ ନେତା ପି. ଜୟରାଜନ ଓ ଟି.ଭି. ରାଜେଶଙ୍କ ସମେତ ୧୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ୨୦୧୨ ଫେବ୍ରୁଆରି ୨୦ ତାରିଖରେ କନ୍ନୁର ଜିଲ୍ଲାରେ ମୁସଲିମ୍ ଲିଗ୍ର ଯୁବ ସଂଗଠନ ସହ ଜଡ଼ିତ ୨୧ ବର୍ଷୀୟ ଅବଦୁଲ ଶୁକ୍କୁରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ୧୩ ଜଣଙ୍କ ମଧ୍ୟରେ ସୁମେଶ, ଅନୁପ, ପବିତ୍ରନ, ମନୋହରନ, ଏମ୍.ଭି. ଦିନେଶନ, ବିଜୁମୋନ, ଶିଜିନ ମୋହନ, ଇ.ପି. ରାଧାକୃଷ୍ଣନ, କେ.ଭି. ସାଜିତ, ଭି.ଭି. ମୋହନନ, ପୁରୁଷୋତ୍ତମନ, ପି.କେ. ଅଜିତ କୁମାର ଓ ପି.ପି. ସୁରେଶନ ଅଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ସିଧାସଳଖ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ୟପକ୍ଷରେ, ଖଲାସ ହୋଇଥିବା ୧୮ ଜଣଙ୍କ ମଧ୍ୟରେ ପୂର୍ବତନ ସିପିଆଇ(ଏମ୍) କନ୍ନୁର ଜିଲ୍ଲା ସମ୍ପାଦକ ପି. ଜୟରାଜନ, ପୂର୍ବତନ ବିଧାୟକ ଟି.ଭି. ରାଜେଶ ଏବଂ ଦଳର ରାଜ୍ୟ ସମ୍ପାଦକ ଏମ୍.ଭି. ଗୋବିନ୍ଦନଙ୍କ ପୁଅ ଶ୍ୟାମଜିତ ଅଛନ୍ତି।ସୂଚନା ଅନୁସାରେ, ୨୦୧୨ ଫେବ୍ରୁଆରି ୨୦ରେ କନ୍ନୁରର ଆରିୟିଲ ଅଞ୍ଚଳରେ ସିପିଆଇ(ଏମ୍) ନେତା ପି. ଜୟରାଜନ ଓ ଟି.ଭି. ରାଜେଶଙ୍କ ଗାଡ଼ି ଉପରେ ମୁସଲିମ୍ ଲିଗ୍ କର୍ମୀମାନେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ନେତା ଆହତ ହୋଇ ତାଲିପରମ୍ବା ସମବାୟ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଏହାର ପ୍ରତିଶୋଧ ସ୍ୱରୂପ ଶୁକ୍କୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
Tags:




